ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୂପୁର ଶର୍ମା, ଆଜି ଶୁଣାଣି
ନୂଆଦିଲ୍ଲୀ: ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମା ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଜି ତାଙ୍କ ମାମଲାର ଶୁଣାଣି ରହିଛି । ତାଙ୍କ ବିରୋଧରେ ଗିରିଫଦାରି ଉପରେ ରୋକ ଲଗାଇବାକୁ ନୂପୁର ଶର୍ମା ଆବେଦନ କରିଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେବି ପର୍ଦ୍ଦିୱଲା ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପ୍ରଫେଟ ମହମମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପରେ ତାଙ୍କ ବିରୋଧରେ ଏକାଧିକ ଏତଲା ହୋଇଛି । ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ୯ଟି ମାମଲା ହୋଇଥିଲା । ଏସବୁର ଗିରଫଦାରି ଉପରେ ରହିତାଦେଶ ଲଗାଇବାକୁ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନୂପୁର । ଏଥିସହ ସୁପ୍ରମିକୋର୍ଟ ତାଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ପ୍ରତ୍ୟାହାର ପାଇଁ ନିବେଦନ କରିଛନ୍ତି ।
ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବିବାଦୀୟ ମନ୍ତବ୍ୟ ପରେ ଦେଶରେ ଯାହାସବୁ ଘଟିଲା ଏଥିପାଇଁ କୋର୍ଟ ତାଙ୍କ ଉପରେ ଦାୟୀ କରି ବର୍ଷିଛନ୍ତି । । ଏହାପରେ ତାଙ୍କ ଜୀବନ ବିପଦରେ ରହିଛି । ତାଙ୍କୁ ଦୁଷ୍କର୍ମ ଧମକ ଦିଆଯାଇଛି ବୋଲି ସେ କହିଛନ୍ତି । ତେଣୁ ଏହି ଟିପ୍ପଣୀକୁ ପ୍ୟତ୍ୟାହୃତ କରିବାକୁ ସେ ନିବେଦନ କରିଛନ୍ତି । ଏଥିସହ ଦିଲ୍ଲୀରେ ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରାଯାଉ ବୋଲି ନୂପୁର ଶର୍ମା ଆବେଦନ କରିଛନ୍ତି । ଜୁଲାଇ ଆରମ୍ଭରେ ନୂପୁର ଶର୍ମାଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଥିଲେ ଯେ, ନୂପୁର ଏବଂ ତାଙ୍କ ବୟାନ ସମଗ୍ର ଦେଶରେ ନିଆଁ ଲଗାଇଦେଇଛି । ନୂପୁର ଟିଭିରେ ଦେଇଥିବା ଦାୟିତ୍ୱହୀନ ଟିପ୍ପଣୀ ପାଇଁ ସମଗ୍ର ଦେଶରେ ଉତେଜନା ଲାଗିରହିଛି ଏବଂ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ଉପୁଜିଛି । ଦେଶରେ ଯେଉଁ ସ୍ଥିତି ଲାଗି ରହିଛି ସେଥିପାଇଁ କେବଳ ନୂପୁର ହିଁ ଦାୟୀ । ଯେଉଁଭଳି ଭାବେ ସେ ଉତ୍ତେଜନା ସୃଷ୍ଟି କରିଛନ୍ତି, ସେଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍ ।
