ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ
ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ (ସିଡିଭିଓ)। ନୂଆପଡା ସିଡିଭିଓ ତ୍ରିଲୋଚନ ଧଳ ଲାଞ୍ଚ ନେଉଥିବା ଅଭିଯୋଗରେ ଧରା ପଡିଛନ୍ତି । ସେ ୨ ଲକ୍ଷ ୭୭ ହଜାର ନେଇ କଟକ ଯାଉଥିବା ବେଳେ ହଠାତ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଏହା ବ୍ୟତୀତ ତ୍ରିଲୋଚନଙ୍କ କାର୍ଯ୍ୟାଳୟ, ସରକାରୀ ଘର ଓ କଟକର ନରାଜ ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।
ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଶନିବାର ରାତି ୨ଟା ସମୟରେ ଭିଜିଲାନ୍ସ ଦଳ ଜଗି ରହିଥିଲା । ସିଡିଭିଓ ଶ୍ରୀ ଧଳ ଟଙ୍କା ନେଇ କଟକ ଯାଉଥିବା ବେଳେ ଉକ୍ତ ଟିମ୍ ଚଢ଼ାଉ କରିଥିଲା । ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଜବତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ସିଡିଭିଓ ଜବତ ହୋଇଥିବା ଟଙ୍କାର ହିସାବ ଦେଇପାରିନଥିବା ଜଣାପଡ଼ିଛି। ଏହାପରେ ନୂଆପଡା ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ କଟକ ନରଳା ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢଉ ଜାରି ରଖିଛି । କୋରାପୁଟ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ କଳାହାଣ୍ଡି ଓ ନୂଆପଡା ଭିଜିଲାନ୍ସ ଟିମ ମଧ୍ୟ ଚଢଉରେ ସାମିଲ ହୋଇଛନ୍ତି । ସୂଚନା ଯେ, ଗତ ଶନିବାର ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା କିରାଣୀ ପ୍ରତିମା ଦାସ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଧରା ପଡିଥିଲେ । ମାତ୍ର ୨୪ ଘଣ୍ଟା ନ ପୁରୁଣୁ ଜିଲାରେ ପୁଣି ଜଣେ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିବା ନେଇ ବେଶ ଚର୍ଚ୍ଚା ଜୋର୍ ଧରିଛି ।
