ଏନ୍ଏସ୍ଏମ୍ ସିଟି କଲେଜର ଅଧ୍ୟକ୍ଷଙ୍କ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ବିରୋଧରେ ସ୍ମାରକପତ୍ର
କଟକ : କଟକ ରାଜାବଗିଚାସ୍ଥିତ ନେତାଜୀ ସୁଭାଷ ମେମୋରିଆଲ (ଏନଏସଏମ) ସିଟି କଲେଜର କାମଚଳା ଅଧ୍ୟକ୍ଷଙ୍କ ଅନୈତିକ କାର୍ଯ୍ୟକଳାପ ବିରୋଧରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ଦର୍ଶାଯାଇଛି କି, ଇଂରାଜୀ ବିଭାଗ ଅଧ୍ୟାପିକା ବ୍ୟକ୍ତିଗତ କାରଣରୁ ୨୦୧୫ରୁ ୨୦୨୧ ମସିହା ଭିତରେ ଏକାଧିକବାର ଆମେରିକା ଯାଇଛନ୍ତି । ପ୍ରଥମ ଆମେରିକା ଯାତ୍ରାର ୯୦ ଦିନ ଛୁଟିର ସମସ୍ତ ପ୍ରକାର କାଗଜପତ୍ର କାମଚଳା ଅଧ୍ୟକ୍ଷ ଡ. ସରୋଜ ଭଂଜଦେଓ ଜନୈକ ଅବସରପ୍ରାପ୍ତ କିରାଣୀଙ୍କ ଦ୍ୱାରା ନଷ୍ଟ କରାଇଦେଇଛନ୍ତି । ଅଧ୍ୟକ୍ଷ ଡ. ଭଂଜଦେ ଓ ସପ୍ତମ ବେତନ କମିଶନ ଅନୁମୋଦନ କରାଇ ଇଂରାଜୀ ଅଧ୍ୟାପିକାଙ୍କ ଗୋଟିଏ ଇନକ୍ରିମେଣ୍ଟ ଅଧିକ କରାଇ ସରକାରଙ୍କଠାରୁ ଅଧିକ ଅର୍ଥ ପାଇବାରେ ସାହାଯ୍ୟ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଜଣେ ଅଧ୍ୟାପିକାଙ୍କୁ ଅନୁକମ୍ପା ଦେଖାଉଥିବା ବେଳେ ଅନ୍ୟ ଜଣେ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପିକାଙ୍କ ୧୫ ଦିନର ଛୁଟି ମଂଜୁର କରୁନଥିବା ଅଭିଯୋଗ ହୋଇଛି । ସେହିଭଳି ଉପରୋକ୍ତ କିରାଣୀ ଅବସର ଗ୍ରହଣ କରିସାରିଥିବା ବେଳେ କାମଚଳା ଅଧ୍ୟକ୍ଷ ତାଙ୍କୁ ଆଜି ପର୍ଯ୍ୟନ୍ତ କଲେଜର କାର୍ଯ୍ୟାଳୟକୁ ଆସିବାକୁ ଅନୁମତି ପ୍ରଦାନ କରିଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି । ଡ. ଭଂଜଦେଓ କାମଚଳା ଅଧ୍ୟକ୍ଷ ପଦରେ ରହିବା ପରେ ନାନା ପ୍ରକାର ବିଶୃଙ୍ଖଳା କଲେଜରେ ସୃଷ୍ଟି ହେଉଥିବାର ଅଭିଯୋଗ ହେଉଛି । ତେଣୁ ତାଙ୍କୁ ତୁରନ୍ତ ଉକ୍ତ ପଦବୀରୁ ହଟାଯାଇ ସେ କରିଥିବା ବେଆଇନ କାମର ତଦନ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଛି । ସେଥିପାଇଁ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଉକ୍ତ ଅଂଚଳର ଲୋକମାନେ ଏ ବିଷୟରେ ଅବଗତ କରାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବିଧିବଦ୍ଧ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଦାବି କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନର ଅଧୋଗତିକୁ ରକ୍ଷା କରି ଏକ ସ୍ୱଚ୍ଛ ଉତ୍ତରଦାୟୀ ଅନୁଷ୍ଠାନରେ ପରିଣତ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇଥିବା ନେଇ ଆଇନଜୀବୀ ତରୁଣ ପତି ଜଣାଇଛନ୍ତି ।
