ରେଲୱେ ଜାଗାରୁ ହଟିବାକୁ ନୋଟିସ୍ ଜାରି; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଯାଦପୁର ବସ୍ତିବାସିନ୍ଦା
ଜାଗା ମିଶନ ଜରିଆରେ ଜାଗା ଓ ଘର ଯୋଗାଇ ଦେବାକୁ ଦାବି
ବାଲେଶ୍ୱର : ବାଲେଶ୍ୱର ସହରର ଯାଦପୁର ବସ୍ତିବାସିନ୍ଦାଙ୍କୁ ରେଲୱେ ଜାଗାରୁ ହଟିବାକୁ ନେଇ ରେଳ କର୍ତ୍ତୃପକ୍ଷଙ୍କ ନୋଟିସ୍ । ଭୂ-ଅଧିକାର ପ୍ରମାଣପତ୍ର ପାଇଥିବା ପରିବାରଙ୍କୁ ଉଚ୍ଛେଦ ପାଇଁ ନୋଟିସ ଜାରି କରିବାକୁ ନେଇ ବସ୍ତିବାସିନ୍ଦା ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏଥିସହ ଜାଗା ମିଶନ ଜରିଆରେ ଜାଗା ଓ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ।
ବାଲେଶ୍ୱର ପୌରପାଳିକାର ୩୦ ନଂ ୱାର୍ଡ଼ ଅନ୍ତର୍ଗତ ଯାଦପୁର ଅଞ୍ଚଳର ଏହି ପରିବାରମାନେ ଦୀର୍ଘ ୫୦ବର୍ଷ ଧରି ସରକାରୀ ଜାଗାରେ ବସବାସ କରି ଆସୁଥିଲେ । ରେସନକାର୍ଡ଼ ଠାରୁ ଆରମ୍ଭ କରି ଭୋଟର ପରିଚୟପତ୍ର ପାଇଥିବା ଏହି ବସ୍ତିବାସିନ୍ଦାମାନେ ପ୍ରତି ସାଧାରଣ ନିର୍ବାଚନ ଓ ପୌର ନିର୍ବାଚନରେ ଭୋଟ ମଧ୍ୟ ଦେଇ ଆସୁଛନ୍ତି । ଜାଗା ମିଶନ ଜରିଆରେ ସେମାନେ ୪/୫ ବର୍ଷ ପୂର୍ବରୁ ଭୂ-ଅଧିକାର ପ୍ରମାଣପତ୍ର ପାଇଛନ୍ତି । ମାତ୍ର ଅଦ୍ୟାବଧି ସମ୍ପୃକ୍ତ ପରିବାରଙ୍କୁ ଜାଗା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସମ୍ପ୍ରତି ତୃତୀୟ ରେଳ ଧାରଣା ବିଛାଇବା ପାଇଁ ରେଲୱେ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଥିବା ବେଳେ ସେହି ସ୍ଥାନରୁ ହଟିବା ପାଇଁ ସେମାନଙ୍କୁ ନୋଟିସ ଜାରି କରାଯାଇଛି । ଏମିତିକି ଧାର୍ଯ୍ୟ ସମୟ ମଧ୍ୟରେ ଜାଗା ଖାଲି ନ କଲେ ସେମାନଙ୍କୁ ଜବରଦସ୍ତ ଉଚ୍ଛେଦ କରାଯିବ ବୋଲି ରେଳ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି । ଏଭଳି ସ୍ଥିତିରେ ସେମାନେ କେଉଁଠିକି ଯିବେ ବୋଲି ବସ୍ତି ପରିବାରମାନେ ପ୍ରଶ୍ନ କରିଛନ୍ତି । ତୁରନ୍ତ ସେମାନଙ୍କୁ ଜାଗା ମିଶନ ପକ୍ଷରୁ ଜାଗା ସହ ଘର ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
