ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି; ୨୭୯ ବୁଥରେ ଭୋଟ୍
ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ନେଇ ବୁଧବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି । ଏସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓ ସୁଶିଲ ଲୋହାନୀ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ୩୧ ତାରିଖରେ ବ୍ରଜରାଜନଗରରେ ଗୋଟ ଗ୍ରହଣ ହେବ । ଏହା ପୂର୍ବରୁ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ମେ’ ୧୨ରେ ନାମାଙ୍କନପତ୍ର ଯାଂଚ କରାଯିବ । ନାମାଂକନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ୧୭ ତାରିଖ ପର୍ଯ୍ୟନ୍ତ ରହିଛି । ୩୧ ତାରିଖରେ ଭୋଟ୍ ଗ୍ରହଣ ପରେ ଜୁନ୍ ୩ ତାରିଖରେ ଭୋଟ୍ ଗଣତି ହେବ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ବ୍ରଜରାଜନଗରରେ ୨, ୧୪, ୭୪୫ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେଥିରୁ ୧୦୯୯୮୯ ଜଣ ପୁରୁଷ ଓ ୧୦୪୭୩୯ ଜଣ ମହିଳା ଭୋଟର ରହିଛି । ୩୫୧୯ ଭିନ୍ନକ୍ଷମ ଓ ୩୧୨୭ ଜଣ ୮୦ ବର୍ଷରୁ ଅଧିକ ବୟସ୍କ ରହିଛନ୍ତି । ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମୁଦାୟ ବୁଥ୍ ସଂଖ୍ୟା ହେଉଛି ୨୫୭ । କୋଭିଡ୍ ଦୃଷ୍ଟିରୁ ପ୍ରତି ବୁଥ୍ରେ ସର୍ବାଧିକ ୧୨୫୦ ଭୋଟର ମତଦାନ ନିମନ୍ତେ ନିର୍ବାଚନ ଆୟୋଗ ସ୍ଥିର କରିଥିବାରୁ ଅତିରିକ୍ତ ୨୨ ଗୋଟି ବୁଥ୍ କରାଯାଇ ମୋଟ ବୁଥ୍ ସଂଖ୍ୟା ୨୭୯ ହୋଇଛି । ଉପନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟ୍ଗୁଡ଼ିକୁ ଇସିଆଇଏଲ୍ ସ୍ଥିତ ହାଇଦ୍ରାବାଦ୍ ରୁ ଅଣାଯାଇ ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସରିଛି । ଉପନିର୍ବାଚନବେଳେ କୋଭିଡ୍ ନିର୍ଦ୍ଦେଶାବଳୀର ସଠିକ୍ ଭାବେ ଅନୁପାଳନ ହେବ । ସମୟାନୁସାରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି ହେଉଥିବା କୋଭିଡ୍ ନିର୍ଦ୍ଦେଶାବଳୀକୁ ଭୋଟରଙ୍କ ଠାରୁ ଆରମ୍ଭ କରି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ କଡ଼ାକଡ଼ି ଭାବେ ପାଳନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଉପନିର୍ବାଚନରେ ଅଂଶଗ୍ରହଣ ପାଇଁ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ସମୟସୀମା ମଧ୍ୟରେ ତିନିଥର ଖବରକାଗଜ ଓ ଟେଲିଭିଜନ୍ ମାଧ୍ୟମରେ ପ୍ରଚାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ରାଜନୈତିକ ଦଳମାନେ ମଧ୍ୟ ଦିନ ଦଳ ମଧ୍ୟରେ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ବିବରଣୀ ନିର୍ବାଚନ ପ୍ରଚାର ସମୟରେ ଖବରକାଗଜ ଓ ଟେଲିଭିଜନ୍ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି । ଡିସେମ୍ବର ୩୦ରେ ଶ୍ରୀ ମହାନ୍ତିଙ୍କ ଅକାଳ ମୃତ୍ୟୁ ହୋଇଥିବାବେଳେ ଜୁନ୍’ ୩୦ତାରିଖ ସୁଦ୍ଧା ୬ ମାସ ପୂରଣ ହେଉଛି ।
