ଉତ୍ତର କୋରିଆରେ ପ୍ରଥମ କରୋନା ମାମଲା ଚିହ୍ନଟ, ସାରାଦେଶରେ ଲାଗିଲା ଲକଡାଉନ୍
ନୂଆଦିଲ୍ଲୀ : ଦୁନିଆର କିଛି ଦେଶରେ କୋରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ କିଛି ରାଜ୍ୟରେ କୋରୋନା ମାମଲାରେ ବୃଦ୍ଧି ଦେଖାଦେଇଛି । ଏହି ସମୟରେ ଉତ୍ତର କୋରିଆ କୋରୋନା ସଂକ୍ରମଣର ପ୍ରଥମ ମାମଲାକୁ ଚିହ୍ନଟ ହୋଇଛି । ଯାହା ପରେ ଦେଶବ୍ୟାପୀ ଲକଡାଉନ୍ କରିବାର ଘୋଷଣା ମଧ୍ୟ କରାଯାଇଛି । ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ଦ୍ୱାରା ଏହି ଲକଡାଉନର ନାମ ‘ଗୁରୁତର ଜରୁରୀକାଳୀନ ପରିସ୍ଥିତି’ ରଖାଯାଇଛି । ଏହାପୂର୍ବରୁ ଉତ୍ତର କୋରିଆ ଏପର୍ଯ୍ୟନ୍ତ ସ୍ୱୀକାର କରୁ ନଥିଲା ଯେ ସେଠାରେ କୌଣସି କୋରୋନା ମାମଲା ମିଳିଛି । କିନ୍ତୁ ବର୍ତ୍ତମାନ ମାମଲାର ପୃଷ୍ଟି ଉତ୍ତର କୋରିଆ ନିଜେ କରିଛି ।
ଏହା ପରେ ଉତ୍ତର କୋରିଆରେ ପ୍ରତିବନ୍ଧକ ମଧ୍ୟ ଘୋଷଣା କରାଯାଇଛି । ଯଦିଓ କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବରୁ ମଧ୍ୟ କୋରିଆରେ କୋରୋନା ସଂକ୍ରମଣର ଅନେକ ମାମଲା ଦେଖିବାକୁ ମିଳିଥିଲା । କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ପ୍ୟୋଙ୍ଗୟାଙ୍ଗରେ ମିଳିଥିବା ରୋଗୀର ଜ୍ୱରର ଲକ୍ଷଣ ରହିଛି ଓ ଅନୁସନ୍ଧାନ ପରେ ଓମିକ୍ରନ୍ BA.2 ଭାରିଆଣ୍ଟ ନିଶ୍ଚିତ ହୋଇଛି ।
କିମ ଜୋଙ୍ଗ ଉନ ଗୁରୁବାର ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଡାକିଛନ୍ତି ଓ ପରେ କୋରୋନା ସଙ୍କଟର ମୁକାବିଲା ପାଇଁ ଲକଡାଉନ୍ ଲଗାଇବାକୁ ଘୋଷଣା କରିଛନ୍ତି । କିମ ଜୋଙ୍ଗ ଉନ୍ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ସହରରେ ଲକଡାଉନ୍ ଲାଗୁ କରାଯାଉ ଓ ପ୍ରତିବନ୍ଧକ ପାଳନ କରାଯାଉ । ତେବେ କୋରିଆ ନାଗରିକଙ୍କ ଉପରେ କେଉଁ ପ୍ରତିବନ୍ଧକ ଲଗାଯାଇଛି ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ । ଲକଡାଉନ୍ ଘୋଷଣା କରି କିମ ଜୋଙ୍ଗ ଉନ୍ ନିଶ୍ଚିତ କରିଛନ୍ତି ଯେ କୋରୋନା ସଂକ୍ରମଣରୁ ଦେଶ ଜିତିବ । ସେ କହିଛନ୍ତି ଯେ ଯେଉଁ ପରିସ୍ଥିତି ଉପୁଜିଛି ଆମେ ଏହାକୁ ଦୂର କରିବୁ ଓ ଶୀଘ୍ର ଆମେ ଏହା ଉପରେ ବିଜୟ ହାସଲ କରିବୁ ।
ଉତ୍ତର କୋରିଆରେ ଏପର୍ଯ୍ୟନ୍ତ କେତେ କୋରୋନା ମାମଲା ଦେଖିବାକୁ ମିଳିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ମାତ୍ର ଗୋଟିଏ ମାମଲା ନିଶ୍ଚିତ ହୋଇଛି । ଏହା ଆଶଙ୍କା କରାଯାଉଛି ଯେ ଦେଶରେ ବଡ଼ ଧରଣର ସଂକ୍ରମଣ ମାମଲା ହୋଇଥାଇପାରେ, କେବଳ ସେତେବେଳେ ତାଲା ପକାଇବାର ଘୋଷଣା କରାଯାଇଛି । ବାସ୍ତବରେ ଉତ୍ତର କୋରିଆର ଜନସଂଖ୍ୟା ୨.୫ କୋଟି ଓ ଏପର୍ଯ୍ୟନ୍ତ ସେଠାରେ କୌଣସି ଟିକାକରଣ ଅଭିଯାନ କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ତାଙ୍କ ସାମ୍ନାରେ ଏକ ବଡ଼ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ମନେ କରାଯାଉଛି । ସିଓଲ୍ ଭିତ୍ତିକ ପ୍ରଫେସର ଲେଫ୍ ଏରିକ୍ ଆଇସଲି କହିଛନ୍ତି ଯେ ପ୍ୟୋଙ୍ଗୟାଙ୍ଗ ଏହି ମାମଲାକୁ ସର୍ବସାଧାରଣରେ ସ୍ୱୀକାର କରିଛନ୍ତି ଓ ସେଠାରେ ଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଦୁର୍ବଳ ଅଟେ ।
