ଆଜିଠୁ ଖସିବ ରାତି ପାରଦ, ଅନୁଭୂତ ହେବ ଶୀତ
ଭୁବନେଶ୍ବର : ରାଜ୍ୟରେ ଆଗକୁ ଆହୁରି ବଢିବ ତାତି । ଫେବୃଆରୀ ମାସରେ ହିଁ ତାତି ୪୦ ଡିଗ୍ରୀ ଛୁଇଁଯିବ । ଆଜି ରାତିରୁ ରାଜ୍ୟର ପାରଦସ୍ତର ଖସିବା ଆରମ୍ଭ କରିବ। ୨ ଦିନରେ ପାଖାପାଖି ୩ ଡିଗ୍ରି ପର୍ଯ୍ୟନ୍ତ ରାତି ତାପମାତ୍ରା ଖସିବ। ଫଳରେ ରାଜ୍ୟରେ କିଛି ଅଞ୍ଚଳରେ ପ୍ରବଳ ଶୀତ ଓ ଅନ୍ୟ କିଛି ଅଞ୍ଚଳରେ ହାଲୁକା ଶୀତ ଅନୁଭୂତ ହେବ। ଏହା ପରବର୍ତୀ ୨ରୁ ୩ ଦିନରେ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅଧିକ ରହିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ୧୮ ତାରିଖ ପରଠାରୁ ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିଯିବ । କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୬ ଡିଗ୍ରୀ ଅଧିକ ରହିବ । ୨୨ ତାରିଖ ବେଳକୁ ଭୁବନେଶ୍ୱର ସମେତ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାଖାପାଖି ପହଞ୍ଚି ଯାଇଥିବ । ଫେବ୍ରୁଆରୀ ଶେଷ ସପ୍ତାହରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁବ ବୋଲି ସେ କହିଛନ୍ତି ।
ଶନିବାର ଭୁବନେଶ୍ୱରର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ତାପମାତ୍ରା ୩୭.୪ ଡିଗ୍ରୀ ରହିଥିଲା । ୨୦୧୬ ମସିହା ଫେବ୍ରୁଆରୀ ୨୧ରେ ରାଜଧାନୀ ତାପମାତ୍ରା ୪୦.୯ ଡିଗ୍ରୀ ରେକର୍ଡ ହୋଇଥିଲା । ୨୦୨୧ ଫେବ୍ରୁଆରୀ ୨୭ରେ ସର୍ବୋଚ୍ଚ ତାପମାତ୍ରା ୪୦.୬ ଡିଗ୍ରୀ ଥିଲା । ମାଲକାନଗିରିରେ ଦିନ ତାପମାତ୍ରା ସବୁଠୁ ଅଧିକ ବା ୩୭ ଡିଗ୍ରୀ ରହିଛି । ଭୁବନେଶ୍ୱରରେ ୩୬.୬ ଡିଗ୍ରୀ, ଅନୁଗୁଳରେ ୩୬.୭, ଝାରସୁଗୁଡାରେ ୩୬.୬, ତାଳଚେର, ବୌଦ୍ଧ ଓ ଛତ୍ରପୁରରେ ୩୬, ଭଦ୍ରକ ଓ ସୁନ୍ଦରଗଡ଼ରେ ଦିନ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି ।
ଆଜି ଭୁବନେଶ୍ୱର ତାପମାତ୍ରା ସ୍ୱାଭାବିକଠାରୁ ୫ଡିଗ୍ରୀ ଅଧିକ ରହିଛି । ଅନୁଗୁଳରେ ସ୍ୱାଭାବିକଠାରୁ ୫ଡିଗ୍ରୀ ଅଧିକ, ବାଲେଶ୍ୱର ଓ ବାରିପଦାରେ ୫ଡିଗ୍ରୀ, ସୁନ୍ଦରଗଡରେ ୪, କେନ୍ଦୁଝରରେ ୩ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୨ ସୁଦ୍ଧା ରାଜଧାନୀ ସମେତ ଆଭ୍ୟନ୍ତର ଓଡ଼ିଶାରେ ତାତି ଆହୁରି ବଢ଼ିଯିବ । ସୋମବାରଠାରୁ ଉତ୍ତର ଭାରତରେ ତାପମାତ୍ରା ବଢ଼ିବ । ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ପ୍ରବାହିତ ହେବ । ଏହାର ପ୍ରଭାବରେ ମାସର ଚତୁର୍ଥ ସପ୍ତାହ ବେଳକୁ ତତଲା ପବନ ବହିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଏଥର ଫେବ୍ରୁଆରୀରୁ ଅସହ୍ୟ ଗରମ ହେବ । ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ରାଜ୍ୟରେ ପ୍ରଚଣ୍ଡ ଗରମ ହେବ ବୋଲି ସେ ଆକଳନ ଲଗାଇଛନ୍ତି ।
