ବେଆଇନ ମୋରମ ଚାଲାଣ ଘଟଣା ରେ ଜିଲ୍ଲାପାଳଙ୍କୁ ଏନ୍ଜିଟିର ନିର୍ଦ୍ଦେଶ: ୩ ମାସରେ ଗାୟତ୍ରୀ କମ୍ପାନୀରୁ ଜରିମାନା ଆଦାୟ କର
କେନ୍ଦୁଝର : ଘସିପୁରା ତହସିଲ ଅନ୍ତର୍ଗତ ମଦନପୁର ମୌଜାର ୪୦ ଏକର ପରିମିତ କାଜୁ ଜଙ୍ଗଲରୁ ବେଆଇନ ମାଙ୍କଡ଼ାପଥର ଓ ମୋରମ ଚାଲାଣ ଘଟଣାରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ପକ୍ଷରୁ ଆସନ୍ତା ତିନିମାସ ମଧ୍ୟରେ ଜରିମାନା ଟଙ୍କା ଆଦାୟ ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ଆସନ୍ତା ଡିସେମ୍ବର ୧୨ ତାରିଖ ସୁଦ୍ଧା ନିର୍ଦେଶ କାର୍ଯ୍ୟକାରୀ କରିବା ପରେ ସତ୍ୟପାଠ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମଦନପୁର ଅଂଚଳରେ ମୋରମ ଓ ପଥର ଖନନ ଯୋଗୁଁ ପରିବେଶ ପ୍ରଭାବିତ ହେଉଥିବା ଦର୍ଶାଇ ସ୍ଥାନୀୟ ଅଂଚଳର ସୁଧାଂଶୁ ଶେଖର କୁଅଁର ଓ ସମ୍ବିତ କୁଅଁର ୨୦୧୯ ଫେବ୍ରୁଆରିରେ ଏନ୍ଜିଟିର ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଏନ୍ଜିଟି ତଦନ୍ତ ପାଇଁ ଏକ ଯୁଗ୍ମ କମିଟି ଗଠନ କରିଥିଲେ । ତଦନ୍ତ କମିଟିର ରିପୋର୍ଟ ଆଧାରରେ ୭ କୋଟି ୩୦ ଲକ୍ଷ ଟଙ୍କା ପରିବେଶ କ୍ଷତି ବାବଦକୁ ଭରଣା କରିବାକୁ ନିର୍ଦେଶ ଦିଆଯାଇଥିଲା । ଏହାପରେ ଘସିପୁରା ତହସିଲ ପକ୍ଷରୁ ଗାୟତ୍ରୀ କମ୍ପାନି ସମେତ ୬୮ଜଣଙ୍କୁ ଡିମାଣ୍ଡ ନୋଟିସ୍ ଦିଆଯାଇଥିଲା । କିନ୍ତୁ ଗାୟତ୍ରୀ କମ୍ପାନିର ଦେଖା ମିଳିନଥିଲା । ଏପ୍ରିଲ ୨୯ରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ ଏନ୍ଜିଟିର କୋଲକାତାସ୍ଥିତ ଇଷ୍ଟର୍ଣ୍ଣ ଜୋନ୍ କାର୍ଯ୍ୟାଳୟରେ ହାଜର ହୋଇ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଅଦ୍ୟାବଧି ଗାୟତ୍ରୀ କମ୍ପାନି ଜରିମାନା ରାଶି ବାବଦକୁ ୬ କୋଟି ୯୪ ଲକ୍ଷ ୯୯ ହଜାର ୯୪୪ ଟଙ୍କା ଦାଖଲ କରିନାହିଁ । ତେବେ ସେପ୍େଟମ୍ବର ୨ ତାରିଖରେ ଏହି ମାମଲାର ଶୁଣାଣି କରି ଏନ୍ଜିଟିର ବିଚାରପତି ବି. ଅମିତ ଷ୍ଟାଲେକର, ସାଇବଲ ଦାସଗୁପ୍ତା ଉପରୋକ୍ତ ରାୟ ଦେବା ସହିତ ତୁରନ୍ତ ପରିବେଶ ଆଇନ ଉଲ୍ଲଘଂନ କାରୀଙ୍କଠାରୁ ଜରିମାନା ଆଦାୟ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ତେବେ ଗାୟତ୍ରୀ କନଷ୍ଟ୍ରକ୍ସନ ପକ୍ଷରୁ ଏତେ ପରିମାଣର ଜରିମାନା ଆଦାୟ ପାଇଁ ଆପତି ଉଠାଯାଇଛି । ଗାୟତ୍ରୀ କନଷ୍ଟ୍ରକ୍ସନ ପକ୍ଷରୁ କ୍ଷତିପୂରଣ ବାବଦରେ ଆଦାୟ ହେବାକୁ ଥିବା ଜରିମାନା ନେଇ ଯଦି କିଛି ଅଭିଯୋଗ ଥାଏ ତେବେ ତିନିମାସ ମଧ୍ୟରେ ତାହାର ଶୁଣାଣି କରି ଜରିମାନା ଆଦାୟ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ପ୍ରଦୂଷଣ ବିଭାଗକୁ ଏନ୍ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଥିଲେ ।
