ଆସନ୍ତା ୩ ମାସ ନିର୍ଣ୍ଣାୟକ, ପାର୍ବଣରେ ସତର୍କ ରୁହନ୍ତୁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁୁବନେଶ୍ୱର : ପ୍ରଥମେ ଜୀବନ, ତାପରେ ମେଳା ମହୋତ୍ସବ । କୋଭିଡ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି । ଯେଉଁଠି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି, ସେଠାରେ ସତର୍କତାମୂଳକ ପଦକ୍ଷେପ ନେବେ । ଯେଉଁଠି ଯାହା ପର୍ବ ହେଉଛି, ଯେଉଁଠି ଗହଳି ହେବାର ସମ୍ଭାବନା ଅଛି । ତାକୁ କେମିତି ନିୟନ୍ତ୍ରଣ କରାଯିବ । ସେଥିପାଇଁ ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି । ଆଉ ଭୁବନେଶ୍ୱରର ସ୍ଥିତିକୁ ଦେଖି ବିଏମସି ଏଭଳି ନିଷ୍ପତି ନେଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ବିଏମସି ଶୀତଦିନିଆ କଟକଣା ଲାଗୁ ନେଇ ପ୍ରତିକ୍ରିୟା ସେ ଏହା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଦେଶରେ ସଂକ୍ରମଣ ବର୍ତମାନ ସ୍ଥିର ଅବସ୍ଥାରେ ଅଛି । ଓଡ଼ିଶାରେ ମଧ୍ୟ ସ୍ଥିର ଅଛି । ତଥାପି ଆସନ୍ତା ୩ ମାସ ଆମ ପାଇଁ ନିର୍ଣ୍ଣାୟକ ହେବ । ଯେଉଁ ସେରୋ ସର୍ଭେ ହୋଇଥିଲା, ସେଥିରେ ୭୦ ପ୍ରତିଶତ ଲୋକଙ୍କ ଇମ୍ୟୁନିଟି ଥିବା ଜଣାପଡ଼ିଛି । ତେଣୁ ଯଦି ଟିକାକରଣ ଓ ଇମ୍ୟୁନିଟି ବଢିବ, ତାହେଲେ ସଂକ୍ରମଣ ସମ୍ଭାବନା କମିଯିବ । ତେଣୁ ୩ ମାସ ଭିତରେ ଯେଉଁ ପାର୍ବଣ ଅଛି ସେଥିରେ ସତର୍କ ରହିବାକୁ ପଡ଼ିବ । ପ୍ରଥମେ ଜୀବନ, ତାପରେ ମେଳା, ମହୋତ୍ସବ, ଯାତ୍ରା । ଏହା ଜାତୀୟ ବିପତି, ଏହାର ମୁକାବିଲା କରିବା ଆମର ବଡ଼ ଦାୟିତ୍ୱ । ପୂର୍ବଭଳି ସ୍ଥିତି ଯେପରି ନ ଉପୁଜୁ ସେଥିପାଇଁ ଏଭଳି କଟକଣା ଲଗାଯାଇଛି । ତେଣୁ କୋଭିଡ ସ୍ଥିତି ଚାଲିଗଲେ ମେଳା, ମହୋତ୍ସବ ହୋଇପାରିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
