ଅଳିଆଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
ବଲାଙ୍ଗୀର : ଅଲୋଡା ହେଲା ଶିଶୁ ପୁତ୍ର । ବଲାଙ୍ଗୀର ରେଲୱେ ଷ୍ଟେସନ ରାସ୍ତାର ତେଲିଗୋଠପଡା ବ୍ରିଜ ତଳ ଅଳିଆଗଦାରୁ ନବଜାତ ଶିଶୁ ପୁତ୍ରକୁ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଉଦ୍ଧାର କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ କିଛି ଶ୍ରମକ ସେଠାରେ କାମ କରୁଥିବା ବେଳେ ବ୍ରିଜ ତଳେ ଶିଶୁ କାନ୍ଦୁଥିବା ଶୁଣିଥିଲେ । ପାଖରେ ଥିବା କିଛି ମହିଳାଙ୍କୁ ଏନେଇ ଖବର ଦେବା ସହ ଘଟଣାସ୍ଥଳକୁ ଯାଇଥିଲେ ସ୍ଥାନୀୟ ମହିଳା । ମହିଳା ଜଣଙ୍କ ବ୍ରିଜ ତଳକୁ ଓଲ୍ଲଇ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ । କମ୍ବଳ ଘୋଡାଇ ଏକ ପଲିଥିନ ବ୍ୟାଗରେ ପରିତ୍ୟକ୍ତ ସ୍ଥାନରେ ମୁର୍ମୂଷୁ ଅବସ୍ଥାରେ ପଡିଥିଲା ଶିଶୁ ପୁତ୍ର ।
ତେବେ ଶିଶୁଟିକୁ ଉଦ୍ଧାର କରି ଟାଉନ ଥାନା ପୋଲିସକୁ ଜିମା ଦେଇଥିଲେ । ଟାଉନ ଥାନା ପୋଲିସ ଶିଶୁଟିକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇ ସେଠାରେ ତାହାର ଚିକିତ୍ସା କରାଇଥିଲେ । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବାବେଳେ ବୁଦା ଭିତରେ ପିମ୍ପୁଡି କାମୁଡିଥିବାରୁ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା କହିଥିଲେ ଡାକ୍ତର । ତେବେ ଶିଶୁଟିର ଚିକିତ୍ସା ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ କରାଯାଉଛି । ଚିକିତ୍ସା ପରେ ପୋଲିସ ଶିଶୁଟିକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି ।
