ଏସିଆ କପରେ ନୂଆ ନିୟମ : ଗ୍ରାଉଣ୍ଡ ସର୍କଲ ଭିତରେ ୫ ଫିଲ୍ଡର
ଦୁବାଇ : ଏସିଆ କପ-୨୦୨୨ରେ ଅନୁଷ୍ଠିତ ଭାରତ ଓ ପାକିସ୍ତାନ ମ୍ୟାଚରେ କିଛି ଭିନ୍ନ ଫିଲ୍ଡ ସଜ୍ଜା ଦେଖିବାକୁ ମିଳିଥିଲା । ଉଭୟ ଦଳର ଡେଥ୍ ଓଭର ବୋଲିଂ ସମୟରେ ବାଉଣ୍ଡାରୀରେ ଜଣେ ଲେଖାଏଁ ଫିଲ୍ଡର କମାଇ ଦିଆଯାଇଥିଲା । ଫଳ ସ୍ୱରୂପ ଗ୍ରାଉଣ୍ଡ ଭିତର ୩୦ ଗଜ ସର୍କଲ ଭିତରେ ୫ଜଣ ଲେଖାଏଁ ଫିଲ୍ଡର ରହିଥିଲେ । ଉଭୟ ଦଳର ବୋଲିଂ ସମୟରେ ଶେଷ ୩ ଓଭରରେ ଏଭଳି ଫିଲ୍ଡିଂ ଦେଖିବାକୁ ମିଳିଥିଲା ।
ଗ୍ରାଉଣ୍ଡ ଭିତର ୩୦ଗଜ ସର୍କଲ ମଧ୍ୟରେ ଅତିରିକ୍ତ ଫିଲ୍ଡର ରଖାଯିବା ପଛର କାରଣ ରହିଥିଲା ମନ୍ଥର ବୋଲିଂ ଜନିତ ଦଣ୍ଡ ବିଧାନ । ଚଳିତ ବର୍ଷ ଜାନୁଆରୀ ମାସରୁ ଏହି ନିୟମ ଲାଗୁ କରାଯାଇଛି । ନିୟମ ଅନୁଯାୟୀ ଟି-୨୦ କ୍ରିକେଟ୍ରେ ପ୍ରତି ଇନିଂସ ପାଇଁ ୮୫ ମିନିଟ୍ ଲେଖାଏଁ ସମୟ ରଖାଯାଇଛି । ଫଳରେ ଉଭୟ ଦଳ ୮୫ ମିନିଟ୍ ମଧ୍ୟରେ ୨୦ ଓଭର ବୋଲିଂ ଶେଷ କରିବା ବାଧ୍ୟତା ମୂଳକ । ଏହି ସମୟ ମଧ୍ୟରେ ବୋଲିଂ ଇନିଂସ ଶେଷ ନହେଲେ ବାକି ଓଭର ଗୁଡ଼ିକ ପାଇଁ ୩୦ଗଜ ସର୍କଲ ମଧ୍ୟରେ ଅତିରିକ୍ତ ଫିଲ୍ଡର ରହିବେ । ଓଭର ପିଛା ୪ମିନିଟ୍ ୧୫ ସେକେଣ୍ଡ ସମୟ ନିର୍ଦ୍ଧାରଣ କରାଯାଇଛି । ଅର୍ଥାତ ୨୦ ଓଭର ଶେଷ କରିବା ପାଇଁ ୮୩ ମିନିଟ୍ ସମୟ ଲାଗିବ । ଆହତ ସମସ୍ୟା, ବ୍ୟାଟିଂ ଦଳର ଖେଳାଳିଙ୍କ କ୍ରୀଡ଼ା ଉପକରଣ ପରିବର୍ତ୍ତନ ଇତ୍ୟାଦି ପାଇଁ ନିୟମ ସାମାନ୍ୟ କୋହଳ କରାଯାଇପାରିବ । ସେହିପରି ୱିକେଟ୍ ପତନ ସମୟରେ ପରବର୍ତ୍ତୀ ବ୍ୟାଟର କ୍ରିଜ୍ରେ ପହଞ୍ଚିବା ପାଇଁ ବୋଲିଂ ଦଳକୁ ଅତିରିକ୍ତ ୧ ମିନିଟ୍ କୋହଳ କରାଯିବ । ପ୍ରତି ୱିକେଟ୍ରେ ୧ ମିନିଟ୍ କୋହଳ କରାଯିବାର ନିୟମ ରହିଛି।
