ଆଇପିଏଲରେ ନୂଆ କୀର୍ତିମାନ : ୨୦୦ତମ ମ୍ୟାଚ୍ ଖେଳିବାର ରେକର୍ଡ କଲେ ଧୋନୀ
ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନୂଆ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ କ୍ରିକେଟର ଭାବେ ଚେନ୍ନାଇ ପାଇଁ ବୁଧବାର ଆଇପିଏଲରେ ୨୦୦ତମ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି । ମୋଟ ଉପରେ ଧୋନି ଏଯାଏ ଆଇପିଏଲରେ ୨୩୦ ମ୍ୟାଚ୍ ଖେଳିଛନ୍ତି । ହେଲେ ଏହା ମଧ୍ୟରୁ ୩୦ଟି ମ୍ୟାଚ୍ ସେ ୨୦୧୬ ଓ ୨୦୧୭ରେ ପୁଣେ ରାଇଜିଂ ପୁଣେ ସୁପର ଜିଆଂଟ ପାଇଁ ଖେଳିଥିଲେ । କାରଣ ୨୦୧୬ ଓ ୨୦୧୭ରେ ମ୍ୟାଚ୍ ଫିକ୍ସିଂ ପାଇଁ ଚେନ୍ନାଇ ଦୁଇ ବର୍ଷ ପାଇଁ ଆଇପିଏଲରୁ ବ୍ୟାନ୍ ହୋଇଥିଲା ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଧୋନି ଟସ୍ ପକାଇବାକୁ ଆସିବା ମାତ୍ରେ ୨୦୦ ମ୍ୟାଚ୍ ଖେଳିବାର ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି । ସେହିପରି ଆରସିବି ବିପକ୍ଷରେ ଚେନ୍ନାଇ ପାଇଁ ଧୋନି ହିଁ ସବୁଠାରୁ ଅଧିକ ରନ୍ କରିଛନ୍ତି । ତେଣୁ ବୁଧବାର ମଧ୍ୟ ଧୋନିଙ୍କ ଜଲୱା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଗୋଟିଏ ଫ୍ରାଂଚାଇଜ୍ ପାଇଁ ୨୦୦ କିମ୍ବା ତା’ଠାରୁ ଅଧିକ ମ୍ୟାଚ୍ ଖେଳିବାରେ ଧୋନି ଦ୍ୱିତୀୟ ଖେଳାଳି । ଏହି କ୍ଲବରେ ପୂର୍ବରୁ ବିରାଟ କୋହଲି ରହିଛନ୍ତି । ୨୦୦୮ ମସିହାରୁ ବିରାଟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳି ଆସୁଛନ୍ତି । ସେ ଆରସିବି ପାଇଁ ଏଯାଏ ୨୧୮ଟି ମ୍ୟାଚ ଖେଳି ସାରିଲେଣି । ଧୋନିଙ୍କ ପରେ ଆଉ କୌଣସି ଖେଳାଳି ଚେନ୍ନାଇ ପାଇଁ ଏତେ ସଂଖ୍ୟକ ମ୍ୟାଚ୍ ଖେଳି ନାହାନ୍ତି । ୨୦୨୨ ଆଇପିଏଲରେ ବିକ୍ରି ହୋଇ ନଥିବା ସୁରେଶ ରାଇନା ଚେନ୍ନାଇ ୧୭୬ଟି ମ୍ୟାଚ୍ ଖେଳିଛନ୍ତି । ସେହିପରି ନିକଟରେ କ୍ୟାପ୍େଟନ୍ସି ପଦ ପାଇ ପୁଣି ଛାଡ଼ିଥିବା ରବୀନ୍ଦ୍ର ଜାଡେଜା ଚେନ୍ନାଇ ପାଇଁ ୧୪୨ଟି ମ୍ୟାଚ୍ ଖେଳି ଧୋନିଙ୍କ ଠାରୁ ଯଥେଷ୍ଟ ପଛରେ ରହିଛନ୍ତି । ଚେନ୍ନାଇ ଧୋନିଙ୍କ ନେତୃତ୍ୱରେ ୪ଥର ଆଇପିଏଲରେ ଚାମ୍ପିୟନ ହୋଇଛି । ୨୦୧୦,୨୦୧୧, ୨୦୧୮ଓ ୨୦୨୧ରେ ଚେନ୍ନାଇ ଟ୍ରଫି ଜିତବାରେ ସକ୍ଷମ ହୋଇଥିଲା । ୨୦୨୨ ଆଇପିଏଲର ଠିକ୍ ପୂର୍ବରୁ ଧୋନି ଚେନ୍ନାଇର ଅଧିନାୟକ ପଦ ଛାଡ଼ିଥିଲେ ଓ ରବୀନ୍ଦ୍ର ଜାଡେଜାଙ୍କୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ଜାଡେଜା କ୍ରମାଗତ ଭାବେ ମ୍ୟାଚ୍ ହାରିବାରୁ ସେ କ୍ୟାପ୍େଟନ୍ସି ପଦ ପୁଣି ଧୋନିଙ୍କୁ ଫେରାଇ ଦେଇଛନ୍ତି । ଧୋନି କ୍ୟାପ୍େଟନ ହେବା ପରେ ଚେନ୍ନାଇ ପ୍ରତିପକ୍ଷ ହାଇଦ୍ରାବାଦକୁ ହରାଇ ଥିଲା । ବୁଧବାର ଦ୍ୱିତୀୟ ଥର ପାଇଁ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଫାଫ ଡୁପ୍ଲେସିସଙ୍କ ଆରସିବି ବିପକ୍ଷରେ ମ୍ୟାଚ୍ ଖେଳୁଛି ।
