ଏଫ୍ଏମ୍ କଲେଜରେ ନୂଆ-ଓ ପ୍ରାୟୋଜିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆୟୋଜିତ
ବାଲେଶ୍ୱର : ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ନୂଆ-ଓ ପ୍ରାୟୋଜିତ “ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଶ୍ରୀଜଗନ୍ନାଥ ଚେତନାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଦିଲ୍ଲୀପ କୁମାର ଘୋଷଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ବିଷୟ ବିଶେଷଜ୍ଞ ତଥା ମୁଖ୍ୟ ଅତିଥିବକ୍ତା ଭାବେ ପଦ୍ମଶ୍ରୀ ପଣ୍ଡିତ (ଡ.) ଅନ୍ତର୍ଯ୍ୟାମୀ ମିଶ୍ର ଯୋଗଦେଇ ଓଡ଼ିଆ ଭାଷାର, ଧ୍ୱନିଗତ ଓ ରୂପଗତ ବୈଶିଷ୍ଟ୍ୟ ଆଲୋଚନା କରିବା ସଙ୍ଗେସଙ୍ଗେ ଏହାର ମହାନ୍ ଐତିହ୍ୟ ଓ ପରମ୍ପରା ସଂପର୍କରେ ବୈଦିକ ସଂସ୍କୃତ, ଲୌକିକ ସଂସ୍କୃତ, ପାଲି, ପ୍ରାକୃତ ଓ ଅପଭ୍ରଂଶ ପରି ବିବିଧ ଭାଷା ସହ ତୁଳନା କରିଥିଲାବେଳେ ସମ୍ମାନିତ ଅତିଥିବକ୍ତା ତଥା ବିଷୟ ବିଶେଷଜ୍ଞ ଭାବେ ଅବସର ପ୍ରାପ୍ତ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି, ଗାଳ୍ପିକ ଓ ସାହିତ୍ୟିକ ଡ. ଅଲେଖ ଚନ୍ଦ୍ର ପଢିଆରୀ ଓଡ଼ିଆ ସଂସ୍କୃତି ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବିଶଦ ଆଲୋଚନା କରି ଓଡ଼ିଆ ସଂସ୍କୃତିର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ବକ୍ତାଭାବରେ ଅବସରପ୍ରାପ୍ତ ସ୍ୱନାମଧନ୍ୟ ଓଡ଼ିଆ ପ୍ରଫେସର୍, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ତଥା ବାଗ୍ମୀ ସମାଲୋଚକ ଡ. ଶିରୀଶଚନ୍ଦ୍ର ଜେନା ଯୋଗଦେଇ ଓଡ଼ିଆ ସାହିତ୍ୟର ଆଦିରୁ ଏଯାବତ୍ ଆଲୋଚନା କରିଥିଲେ।
ମହାବିଦ୍ୟାଳୟ ସଙ୍ଗୀତ ପରିବେଷଣ କଲାପରେ ଅଧ୍ୟକ୍ଷ ପ୍ରଫେସର୍ ଘୋଷ ସ୍ଵାଗତ ସମ୍ଭାଷଣ ରଖିଥିବାବେଳେ
ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ଅଧି-ସ୍ନାତକ ବିଭାଗମୁଖ୍ୟ ଡ. ସନ୍ତୋଷ କୁମାର ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାସହ ଅତିଥି ପରିଚୟ ପ୍ରଦାନ କରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଶ୍ରୀଜଗନ୍ନାଥ ଚେତନା ସମ୍ପର୍କରେ ଏକ ବଳିଷ୍ଠ ଅବଧାରଣା ସୃଷ୍ଟି କରିଥିଲେ। ସେହିପରି ବାଣିଜ୍ୟ ବିଭାଗମୁଖ୍ୟ ପ୍ରଫେସର୍ ଡ. ଅଭିଜିତ ଦାସ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିଲାବେଳେ ସ୍ନାତକୋତ୍ତର ଇଂରାଜୀ ବିଭାଗ ମୁଖ୍ୟ ଡ. ବିଜୟ କୁମାର ଦେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇଥିଲେ।
ଦ୍ଵିତୀୟ ଓ ତୃତୀୟ ବୈଷୟିକ ଅଧିବେଶନ ଯଥାକ୍ରମେ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗମୁଖ୍ୟ ପ୍ରଫେସର୍ ଡ. ହରିଶ୍ଚନ୍ଦ୍ର ବାରିକ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ର. ନଟବର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନମାନଙ୍କରେ ରାଜ୍ୟର ଓ ରାଜ୍ୟ ବାହାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକ, ଓ ଅଧ୍ୟାପକମାନେ ନିଜନିଜର ପ୍ରବନ୍ଧ ପାଠ କରିଥିଲେ। ଏହି ଆଲୋଚନାଚକ୍ରରେ ବିଶିଷ୍ଟ ସ୍ତମ୍ଭ ପ୍ରଫେସର୍ ଡ. ସୁବାସ ଚନ୍ଦ୍ର ପାତ୍ର, କବି ଅଭୟ ଦାସ, ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡ. ମିନତି ସେଠୀ, ବାଲେଶ୍ଵର ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡ. ନିବେଦିତା ମହାନ୍ତି, ଡ. ସୁବ୍ରତ କୁମାର ରଣା, ଡ. ଜୟଶ୍ରୀ ମିଶ୍ର, ପ୍ରଫେସର୍ ପ୍ରଶାନ୍ତ କୁମାର ସାହୁ, ଅଧ୍ୟାପିକା ନମିତା ବେହେରା, ଅଧ୍ୟାପିକା ଦେବସ୍ମିତା ସାହୁ, ଅଧ୍ୟପିକା ରଶ୍ମିତା ପଣ୍ଡା, ରଶ୍ମିରେଖା ସାମନ୍ତରାୟ, ସମାଜର ସହ ସମ୍ପାଦକ ଶ୍ରୀଯୁକ୍ତ ଶଶିରଞ୍ଜନ ମଲ୍ଲିକ, ବ୍ରହ୍ମନାଥ ରଥ ଓ ବାଲେଶ୍ଵର ତଥା ବାଲେଶ୍ବର ବାହାରର ବହୁ ସାହିତ୍ୟିକ, ଗବେଷକ, ସମାଲୋଚକ ଯୋଗଦେଇଥିଲେ।
