ସୋମନାଥପୁର ଗ୍ରୀଡ୍ରୁ ନୂତନ ନୀଳଗିରି ଫିଡ଼ର୍ ଉଦ୍ଘାଟିତ
ନୀଳଗିରି : ଦୀର୍ଘଦିନର ପ୍ରତୀକ୍ଷା ପରେ ସୋମନାଥପୁର ଗ୍ରୀଡ୍ରୁ ନୂତନ ୩୩ କେଭି ଲାଇନର ନୀଳଗିରି ଏନ୍ଏସି ଅନ୍ତର୍ଗତ ବାଣପୁର ସବ୍-ଷ୍ଟେସନରେ ଫିଡ଼ର୍ ଉଦ୍ଘାଟିତ ହୋଇଯାଇଛି । ପୂର୍ବରୁ ନୀଳଗିରି ଅଞ୍ଚଳର ବିଦ୍ୟୁତ୍ ଉପୋଭୋକ୍ତା ସାମାନ୍ୟ ବର୍ଷା, ପବନ ହେଲେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ୍ ପାଇଁ ଦୀର୍ଘ ଦିନ ହେବ ଅସନ୍ତୋଷ ଥିଲା । ବହୁ ଅସୁବିଧା ସୁବିଧା ପରେ ଏବେ ସମାଧାନ ହୋଇଛି ।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରିକୁ ପୂର୍ବରୁ କେବଳ ବାଲେଶ୍ୱର ଗ୍ରୀଡ୍ରୁ ଶେରଗଡ଼ ଦେଇ ୩୩ କେଭି ଲାଇନ୍ ଆସୁଥିବା ବେଳେ ଅନୁରୂପ ଭାବେ ଏବେ ସୋମନାଥପୁର ଗ୍ରୀଡ୍ରୁ ୩୩ କେଭି ଲାଇନ୍ର ନୂତନ ନୀଳଗିରି ଫିଡର୍ ଉଦ୍ଘାଟିତ ହୋଇଛି । ଫଳରେ ଶେରଗଡ଼ ଲାଇନ୍ ଫଲ୍ଟ ହେଲେ ସୁଦ୍ଧା ସୋମନାଥପୁର ଫିଡ଼ର୍ରୁ ଆଣି ଉପଭୋକ୍ତାଙ୍କୁ ଲାଇନ୍ ଦେଇ ହେବ । ଯାହାକୁ ନେଇ ଲାଇନ୍ ପାଇଁ ଆଉ ନୀଳଗିରିବାସୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ତତ୍କାଳୀନ ଉପ-ଜିଲାପାଳ ଆବୋଲି ନରୱେନେଙ୍କ ଦ୍ୱାରା ସୋମନାଥପୁର ଠାରେ ଏହି ନୂଆ ଫିଡ଼ର୍ ପାଇଁ ଶୁଭ ଦିଆଯାଇଥିଲା । ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ମଧ୍ୟ ନୁଆ ଫିଡ଼ର୍ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ଧରି ବାରମ୍ବାର ବିଦ୍ୟୁତ୍ ବିଭାଗର ବିଭିନ୍ନ ଅଧିକାରୀ ଓ ଜିଲାପାଳଙ୍କ ଯୋଗାଯୋଗ ଜାରି ରଖୁଥିଲେ । ଟାଟା ପାୱାର ଏହି ବିଷୟକୁ ମଧ୍ୟ ଗୁରୁତ୍ୱ ସହ ନେଇଥିବାବେଳେ ନୂଆ ଫିଡର୍କୁ ପ୍ରତିଷ୍ଠା କରିଛନ୍ତି । ଏହା ଦ୍ୱାରା ଗୋପୀନାଥପୁର ଠାରୁ ହରିପାଳପୁର, ନୀଳଗିରିରୁ ଆମ୍ବଡ଼ିହା, ପୋଡ଼ାଶୁଳ, ପଞ୍ଚଲିଙ୍ଗେଶ୍ୱର ମଧ୍ୟରେ ଥିବା ସମସ୍ତ ଉପଭୋକ୍ତା ଉପକୃତ ହେବେ ବୋଲି କୁହାଯାଇଛି । ଟାଟା ପାୱାର ପକ୍ଷରୁ ନୂଆ ଫିଡ଼ର୍ ଉଦ୍ଘାଟନ ବେଳେ ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାନ୍ତ ସଙ୍କର ରାୟ, ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପୁହାଣ, ନୀଳଗିରି ଏସ୍ଡିଓ ଦୀପ୍ତିରଞ୍ଜନ ବିଶ୍ୱାଳ, କନିଷ୍ଠ ଯନ୍ତ୍ରୀ ପାର୍ଥସାରଥୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ସରକାରଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ଓ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।
