ବିଏମସି ପକ୍ଷରୁ ନୁଆ ନିର୍ଦ୍ଦେଶନାମା ଜାରି! ଏଣିକି ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ଜରୁରୀ ନୁହେଁ ଟିକା ପ୍ରମାଣପତ୍ର
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ନୁଆ ନିର୍ଦ୍ଦେଶନାମା ଜାରି । ରାଜଧାନୀର ବିଭିନ୍ନ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ ରହିଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି। ବିଏମସିର ଏହି ସଂଶୋଧିତ ଗାଇଡଲାଇନ ପରେ ମାର୍ଚ୍ଚ ୧ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମହାଶିବରାତ୍ରି ପାଳନ ଆଡ଼ମ୍ବରପୂର୍ଣ୍ଣ ଢଙ୍ଗରେ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାସହିତ ରାଜଧାନୀର ବିଭିନ୍ନ ଶୈବ ପୀଠରେ ମଧ୍ୟ ଜାଗର ପର୍ବ ପାଳନ ହୋଇପାରିବ।
ବିଏମସି ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ରାଜଧାନୀରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନରେ କେବଳ ଟିକାକରଣ ହୋଇଥିବା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଅନୁମତି ରହିଥିଲା। କିନ୍ତୁ ଏହାକୁ ସଂଶୋଧନ କରାଯାଇଛି। ରାଜଧାନୀର ଯେକୌଣସି ଧର୍ମାନୁଷ୍ଠାନରେ ପ୍ରବେଶ ଓ ପୂଜାର୍ଚ୍ଚନା ନିମନ୍ତେ ଶ୍ରଦ୍ଧାଳୁଙ୍କୁ ଆଉ କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ କିମ୍ବା ପରିଚୟ ପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ। ସେହିପରି ପୂଜାରୀ ଓ ସେବାୟତମାନେ ମଧ୍ୟ ଦୁଇ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରୀ ନୁହେଁ। ଅବଶ୍ୟ ଧର୍ମାନୁଷ୍ଠାନଗୁଡ଼ିକ ପରିସରରେ କୋଭିଡ୍ ଗାଇଡଲାଇନ ଯଥା- ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ହାତ ଧୋଇବା ଭଳି ବ୍ୟବସ୍ଥାକୁ ପାଳନ କରିବା ଉପରେ ଗୁରୁତ୍ୱ ଦେବାକୁ ବିଏମସି ପରାମର୍ଶ ଦେଇଛି। ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୨୧ତାରିଖରୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ଓ ପୂଜାର୍ଚ୍ଚନା ନିମନ୍ତେ କୌଣସି ପ୍ରକାରର କୋଭିଡ୍ ଦସ୍ତାବିଜ ଦେଖାଇବାର ଆବଶ୍ୟକତା ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି।
