ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସୋମବାର ଓଡ଼ିଶାର ତଥା ଭାରତବର୍ଷର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କର ଜୟନ୍ତୀ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଶିକ୍ଷକ, ଛାତ୍ରୀଛାତ୍ର, ଗବେଷକ ଓ କର୍ମଚାରୀବୃନ୍ଦ ସ୍ନାତକୋତ୍ତର ପରିଷଦର ସମ୍ମିଳନୀ କକ୍ଷରେ ସମବେତ ହୋଇ ଏହି ଦୁଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ଉଭୟ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ବଳିଦାନ ତଥା ଜନ୍ମଭୂମି ପ୍ରତି ଦାୟବଦ୍ଧତା କେବେ ବୃଥା ହେବାର ନୁହେଁ ; କୋଟି କୋଟି ଭାରତୀୟଙ୍କ ଭାବନାରେ, ଚିନ୍ତାଚେତନାରେ ତାହା ଅଜସ୍ର ପ୍ରେରଣାର ଉତ୍ସ ହୋଇ ମାର୍ଗଦର୍ଶନ କରୁଥିବ ବୋଲି ମତ ଦେଇଥିଲେ । ଇତିହାସ ଓ ପ୍ରତ୍ନତତ୍ତ୍ୱ ଗବେଷକ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଙ୍ଘର୍ଷ ଓ ଆହ୍ୱାନ ମୂଳକ ଜୀବନ ଏବଂ ନିର୍ଭୀକ ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ । ‘ଦିଲ୍ଲୀ ଚାଲ’, ‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ – ଆଦି ସ୍ଲୋଗାନ୍ ଓ ‘ଆଜାଦ ହିନ୍ଦ ଫୌଜ’ ଗଠନର ପରିକଳ୍ପନା ଦେଶ ଓ ଜାତିକୁ ଭଲ ପାଇବା ସହିତ ଜାତୀୟ ସମସ୍ୟାକୁ ଆପଣାର କରିନେବା ଓ ମୁକ୍ତି ନିମିତ୍ତ ନିର୍ଣ୍ଣାୟକ ସଂଗ୍ରାମର ଆଗ୍ନେୟ ଶପଥ ନେଇ ଅଗ୍ରସର ହେବାର ମନ୍ତ୍ରଗାନ ଥିଲା ; ନେତାଜୀଙ୍କ ପରି ରାଷ୍ଟ୍ରୀୟ ଅସ୍ମିତା, ଶିକ୍ଷା, ଦର୍ଶନ ଓ ସଂସ୍କୃତି – ସଚେତନ ମହାପୁରୁଷ ଗୋଟିଏ ଯୁଗରେ କେବେ କେବେ ହିଁ ଜନ୍ମ ନେଇଥାନ୍ତି ବୋଲି ପ୍ରକାଶ କରିଥିଲେ । ସ୍ୱାଧୀନତା ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ୱପ୍ନ! କୃଷକ, ନାରୀ ଓ ସମସ୍ତ ଭାରତୀୟଙ୍କ ପାଇଁ ସିଏ ଗୋଟିଏ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିଲେ । ଆଜାଦ୍ ହିନ୍ଦ ଫୌଜ ଗଠନ ବ୍ରିଟିଶ୍ ସରକାରଙ୍କ ପାଇଁ ଏକ ବଡ଼ ଚେତାବନୀ ଥିଲା । ଅନୁରୂପ ବୀର ସୁରେନ୍ଦ୍ର ସାଏ ମଧ୍ୟ ସମ୍ବଲପୁର ମାଟିରେ ଥାଇ ବ୍ରିଟିଶ୍ ସରକାରଙ୍କୁ ଯଥେଷ୍ଟ ବିଚଳିତ କରିଦେଇଥିଲେ । ଏହିପରି ମହାପୁରୁଷଙ୍କ ଉପସ୍ଥିତି ହେତୁ ଇଂରେଜ ସରକାର ଅନୁଭବ କରିଥିଲା ଭାରତ ପ୍ରକୃତରେ ବୀରର ଦେଶ ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ରଜତ ଦଳେଇ ଓ ବବିତା ମଲ୍ଲିକ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ରଙ୍କ ସ୍ମୃତି ଚାରଣ ପୂର୍ବକ ରାଷ୍ଟ୍ର ଗଠନରେ ଉଭୟ ସଂଗ୍ରାମୀଙ୍କର ଅତୁଳନୀୟ ଯୋଗଦାନ ରହିଛି ଏବଂ ସାମ୍ପ୍ରତିକ ସମୟର ଯୁବସମାଜ ସେମାନଙ୍କ ଠାରୁ ପ୍ରେରଣା ଲାଭ କରିବା ଉଚିତ୍ ବୋଲି ପ୍ରକାଶ କରିଥିଲେ । ଅଧ୍ୟାପକ ଡ. ଦେବାଶିଷ ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ଶେଷରେ ଅଧ୍ୟାପିକା ତନରୁମ୍ ନିଶା ଧନ୍ୟବାଦ ଅର୍ପଣ କରିଥିଲେ ।
