ବିମାନ ଦୁର୍ଘଟଣାସ୍ଥଳୀ ଚିହ୍ନଟ କଲା ନେପାଳ ସେନା
କାଠମାଣ୍ଡୁ : ନେପାଳର ପର୍ଯ୍ୟଟନ ସହର ପୋଖରାରୁ ଯାତ୍ରା ଆରମ୍ଭ କରିଥିବା ତାରା ଏୟାରର ବିମାନ ଉଡିବାର ମାତ୍ର କିଛି ସମୟ ମଧ୍ୟରେ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା । ରବିବାର ହୋଇଥିବା ଏହି ଦୁର୍ଘଟଣା ପରେ ଏବେ ବିମାନଟିର ଧ୍ୱଂସାବଶେଷ ମିଳିଛି । ନେପାଳି ସେନା ମସ୍ଟୋଗରେ ଥାସାଙ୍ଗ-୨ର ସୋନେସବେୟରରେ ତାରା ଏୟାରର ଦୁର୍ଘଟଣାଗ୍ରସ୍ତ ବିମାନର ଠାବ କରିଛନ୍ତି ।ନେପାଳରେ ନିଖୋଜ ହୋଇଥିବା ବିମାନ ତାରା ୯ ଏନଏଏଇଟି ର ସନ୍ଧାନ ମିଳିଛି ।
ନେପାଳର ସେନା ପକ୍ଷରୁ ବିମାନଟିକୁ ଠାବ କରାଯାଇଥିବା ବେଳେ ବିମାନଟି ଦୁର୍ଘଟଣା ଘଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏନେଇ ନେପାଳ ସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଥିବା ବେଳେ ବର୍ତ୍ତମାନ ଦୁର୍ଘଟଣାକୁ ନେଇ ତଦନ୍ତ ଚାଲିଛି ବୋଲି କହିଛି ସେନା । ଏନେଇ ସେନାର ମୁଖପାତ୍ର ଟ୍ୱିଟକରି କହିଛନ୍ତି ଉଦ୍ଧାରକାରୀ ଦଳ ନିଖୋଜ ବିମାନର ଦୁର୍ଘଟଣାସ୍ଥଳ ଚିହ୍ନଟ କରିଛନ୍ତି । ରବିବାର ଦିନ ବିମାନ ତାରା ୯ ଏନଏଏଇଟି ଉଡାଣ ଭରିବା ପରେ ମୁସ୍ତାଙ୍ଗ ଜିଲ୍ଲାର କୋଓ୍ୱାଙ୍ଗ ଗାଁ ନିକଟରେ ଦୁର୍ଘଟଣା ହୋଇଛି । ସେଠାକାର ଲୋକମାନେ ବିସ୍ଫୋରଣ ପରି ଏକ ଛୋଟ ଶବ୍ଦ ଶୁଣିଛନ୍ତି ।
