ହାଇକୋର୍ଟ ବିଚାରପତି କରିବେ ମୁସେୱାଲା ହତ୍ୟା ମାମଲାର ତଦନ୍ତ
ନୂଆଦିଲ୍ଲୀ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଭଗବନ୍ତ ମାନ ସରକାର ନ୍ୟାୟିକ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସିଦ୍ଧୁ ମୁସେୱାଲଙ୍କ ବାପା ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖି ପୁଅର ହତ୍ୟା ମାମଲାରେ ସିବିଆଇ, ଏନଆଇଏ କିମ୍ବା ହାଇକୋର୍ଟର ବର୍ତ୍ତମାନର ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇବାକୁ ଦାବି କରିଥିଲେ । ଏହା ଉପରେ ସହମତ ହୋଇ ଭଗବନ୍ତ ମାନ ବଚାରପିତ ଦ୍ୱାରା ହତ୍ୟା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ସିଦ୍ଧୁ ମୁସେୱାଲାଙ୍କ ଭିଆଇପି ସୁରକ୍ଷା ପ୍ରତ୍ୟାହାର ନିଷ୍ପତ୍ତି ନେଇ ପଞ୍ଜାବ ସରକାର ମଧ୍ୟ ତଦନ୍ତ କରିବା କଥା କହିଛନ୍ତି । ସିଏମଓ କାର୍ଯ୍ୟାଳୟ କହିଛି ଯେ, ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଲଗାତର ଅପଡେଟ୍ ନେଉଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିପାରନ୍ତି ।
ଭଗବନ୍ତ ମାନ ବୟାନ ଜାରି କରି କହିଛନ୍ତି ଯେ, ଦୋଷୀମାନଙ୍କୁ ଶୀଘ୍ର ଧରାଯିବ । ଏଠାରେ କହି ରଖୁଛୁ ଯେ, ସିଦ୍ଧୁ ମୁସେୱାଲା (ଶୁଭଦୀପ ସିଂ) ଙ୍କ ବାପା ବଲକୌର ସିଂ ମାନଙ୍କୁ ଏକ ଚିଠି ଲେଖି ସିବିଆଇ, ଏନଆଇଏ କିମ୍ବା ବର୍ତ୍ତମାନର ବିଚାରପତିଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ ଦାବି କରିଛନ୍ତି । କେବଳ ଏତିକି ନୁହେଁ ପଞ୍ଜାବର ଡିଜିପି କ୍ଷମା ମାଗନ୍ତୁ ବୋଲି ସେ ଭଗବନ୍ତ ମାନଙ୍କ ଠାରୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଡିଜିପି ତାଙ୍କ ପୁଅର ହତ୍ୟାକୁ ଗ୍ୟାଙ୍ଗ ୱାର ପରିଣାମ ବୋଲି କହିଛନ୍ତି, ଯେଉଁଥି ପାଇଁ ତାଙ୍କୁ କ୍ଷମା ମାଗିବା ଉଚିତ୍ । ବର୍ତ୍ତମାନ ମୁସେୱାଲା ହତ୍ୟା ମାମଲାରେ ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି ।
ଆଇପିସିର ଧାରା ୩୦୨, ୩୦୭, ଏବଂ ୩୪୧ ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ ଆର୍ମସ୍ ଆକ୍ଟରର ଧାରାଗୁଡିକ ମଧ୍ୟ ଯୋଡା ଯାଇଛି । ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ବର୍ତ୍ତମାନ ଆଖପାଖର ସିସିଟିଭି ଫୁଟେଜ ସ୍କାନ କରୁଛି । କେବଳ ଏତିକି ନୁହେଁ, ସିଦ୍ଧୁ ମୁସେୱାଲାଙ୍କ କାରକୁ ଦୁଇଟି କାର ପଛରେ ଗୋଡ଼ାଇଥିବାର ନଜର ଆସିଥିବା ଭିଡିଓ ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି । ସୂଚନାଯୋଗ୍ୟ, ଶନିବାର ହିଁ ଭଗବନ୍ତ ମାନ ସରକାର ପଞ୍ଜାବର ବହୁ ସଂଖ୍ୟକ ଭିଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଛନ୍ତି । ଏଭଳି ପରିସ୍ଥିତିରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ମାନ ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।
ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ରବିବାର ଗଣମାଧ୍ୟମକୁ ସୂଚନା ଦେଇ ପଞ୍ଜାବ ଡିଜିପି କହିଥିଲେ ଯେ, ସିଙ୍ଗରଙ୍କର ପାଖରେ ୪ଟି କମାଣ୍ଡୋ ଥିଲେ, ସେଥିମଧ୍ୟରୁ ଦୁଇଜଣଙ୍କୁ ପ୍ରତ୍ୟାହାର କରି ନିଆଯାଇଥିଲା । ତେବେ ରବିବାର ଯିବାବେଳେ ସେ ସେହି ଦୁଇ କମାଣ୍ଡୋଙ୍କୁ ମଧ୍ୟ ସାଙ୍ଗରେ ନେଇ ନଥିଲେ । କେବଳ ଏତିକି ନୁହେଁ, ସିଦ୍ଧୁ ମୁସେୱାଲାଙ୍କର ଏକ ନିଜସ୍ୱ ବୁଲେଟପ୍ରୁଫ୍ କାର୍ ମଧ୍ୟ ଥିଲା, ଯାହା ସେ ନେଇ ନଥିଲେ ।
