ପରମ ବିଶିଷ୍ଟ ସେବା ମେଡ଼ାଲ ପାଇବେ ନୀରଜ
ନୂଆଦିଲ୍ଲୀ : ଜାଭେଲିନ୍ ଥ୍ରୋ ଖେଳାଳି ତଥା ଅଲିମ୍ପିୟାନ ନୀରଜ ଚୋପ୍ରା ଆଉ ଏକ ବଡ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । ରାଜପୁତନା ରାଇଫଲ୍ (୪)ରେ ସୁବେଦାର ଥିବା ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ । ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ସାଧାରଣତନ୍ତ୍ର ଦିବସରେ ଏହି ସମ୍ମାନରେ ସମ୍ମାନିତ କରାଯିବ ।
ପରମ ବିଶିଷ୍ଟ ସେବା ମେଡାଲ ଏକ ସେନା ପୁରସ୍କାର । ୧୯୬୦ରେ ଏହି ପୁରସ୍କାରର ଗଠନ କରାଯାଇଥିଲା । ଏହି ପୁରସ୍କାର ଶାନ୍ତି ପାଇଁ ଏବଂ ସେବା କ୍ଷେତ୍ରରେ ସବୁଠାରୁ ଅସାଧାରଣ କାର୍ଯ୍ୟ କରିବା ପାଇଁ ପ୍ରଦାନ କରାଯାଏ । ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ନୀରଜ ଜାଭେଲିନ୍ ଥ୍ରୋ’ରେ ଭାରତ ପାଇଁ ଇତିହାସ ରଚିଥିଲେ । ସେ ୮୭.୫୮ ମିଟର୍ ଥ୍ରୋ’ କରି ଜାଭେଲିନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ନୀରଜ ୪ ରାଜପୁତାନା ରାଇଫଲରେ ସୁବେଦାର ପଦବୀରେ ଅଛନ୍ତି । ସେନାରେ ରହି ଏହି ଭାରତୀୟ ଆଥଲେଟ୍ ଦମଦାର ପ୍ରଦର୍ଶନ କରିଛନ୍ତି, ଯେଉଁ କାରଣରୁ ତାଙ୍କୁ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇସାରିଛି । କିନ୍ତୁ ଏବେ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯିବ । ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩୮୪ ସାହସିକତା ପଦକ ପ୍ରଦାନ କରିବେ । ସେହିପରି ୧୨ ଜଣଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯିବ । ଏହାଛଡ଼ା ୮୧ ଜଣଙ୍କୁ ସେନା ପଦକ, ୨ ଜଣଙ୍କୁ ବାୟୁସେନା ପଦକ, ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ୍, ୪ ଜଣଙ୍କୁ ଉତମ ଯୁଦ୍ଧ ସେବା ମେଡାଲ୍, ୫୩ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ୍, ୧୩ ଜଣଙ୍କୁ ଯୁଦ୍ଧ ସେବା ମେଡାଲ୍ ପ୍ରଦାନ କରାଯିବ ।
