କାର୍ଯ୍ୟକ୍ଷମ ହେଲା ନୟାହାଟ ସଂପଦ କେନ୍ଦ୍ର ଡିସେମ୍ବର ସୁଦ୍ଧା ଗୋଶାଳା, ଯୋବ୍ରା
କଟକ : କଟକ ସହରରେ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଗାମୀ ଦିନରେ ମୋଟ ୧୮ଟି ସଂପଦ କେନ୍ଦ୍ର ଖୋଲାଯାଇ ସୁସଂଗଠିତ ଢଙ୍ଗରେ କଠିନ ବର୍ଜ୍ୟବସ୍ତୁର ପରିଚାଳନା କରାଯିବ । ଆଜି ସିଏମସି ବିଜୁ ଭବନଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏ ସଂପର୍କରେ ସ୍ପଷ୍ଟ କରାଯାଇଛି । ବୈଠକରେ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ପୈାରୋହିତ୍ୟ କରିଥିଲେ । ସହରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁର ଚୁପରିଚାଳନା ପାଇଁ ସେ ଗୁରୁତ୍ୱ ଦେବା ସହ ଯେପରି ସୁସଂଗଠିତ ଢଙ୍ଗରେ ଏହା କାର୍ଯ୍ୟକ୍ଷମ ହୋଇପାରିବ ସେ ସଂପର୍କରେ ନିଷ୍ପତି ନିଆଯାଇଥିଲା । ପ୍ରଥମଥର ପାଇଁ ୫୬, ୫୭, ୫୮ ଓ ୫୯ ନମ୍ବର ୱାର୍ଡର ବର୍ଜ୍ୟ ପରିଚାଳନା ପାଇଁ ଘରକୁ ଘର ଗାଡି ବୁଲି ଆବର୍ଜନା ସଂଗ୍ରହ କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସେଥିପାଇଁ ନିକଟସ୍ଥ ନୟାହାଟଠାରେ ଏକ ସଂପଦ କେନ୍ଦ୍ର ଖୋଲାଯାଇଛି । ସେଠାରେ ଓଦା ଓ ଶୁଖିଲା ଅଳିଆକୁ ଅଲଗା କରାଯାଇ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମସିସି) ଜରିଆରେ ଓଦା ଓ ମେଟରିଆଲ ରିକଭରି ଫାସିଲିଟି (ଏମଆରଏଫ) ଜରିଆରେ ଶୁଖିଲା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କାର୍ଯ୍ୟ କରାଯାଇଛି । ଡିସେମ୍ବର ମାସ ଶେଷ ସୁଦ୍ଧା ନୟାବଜାରସ୍ଥିତ ଗୋଶାଳା ଓ ଯୋବ୍ରାରେ ଆଉ ଦୁଇଟି ପ୍ରକ୍ରିୟାକରଣ ସଂପଦ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ପାଇଁ କମିଶନର ଶ୍ରୀ କଲ୍ୟାଣ ନିର୍ଦ୍ଦେଶ ଦେବା ସହ ଏହାର ଭିତ୍ତିଭୂମି ଓ ଯନ୍ତ୍ରପାତି ସ୍ଥାପନ ସଂକ୍ରାନ୍ତ କାର୍ଯ୍ୟ ଆରମ୍ଭ କରିବା ସକାଶେ ଯନ୍ତ୍ରୀମାନଙ୍କୁ ତାଗିଦ୍ କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଷଣ୍ଢପୁର, ଉତମାପୁର, ବକ୍ସିବଜାର ଅଂଚଳ ପୁରୁଣା କିଲଖାନା ନିକଟରେ ମୋଟ୍ ଚାରୋଟି ସଂପଦ କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତି ନିଆଯାଇଛି । ଏହି ସମୀକ୍ଷା ବୈଠକରେ କମିଶନର ଶ୍ରୀ କଲ୍ୟାଣଙ୍କ ସମେତ ଡେପୁଟି କମିଶନର ସଂଜିବୀତା ରାୟ, ବିଭାଗୀୟ ଯନ୍ତ୍ରୀ, ପରିମଳ ବିଶେଷଜ୍ଞ ଓ ପିଏମୟୁ ସଦସ୍ୟମାନେ ଉପସ୍ଥିତ ଥିଲେ।
