ସିଦ୍ଧୁଙ୍କ ନୂଆ ଠିକଣା କଏଦୀ ନଂ. ୨୪୧୩୮୩
ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜ୍ୟୋତ ସିଂହ ସିଦ୍ଧୁ ଶୁକ୍ରବାର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ସିଦ୍ଧୁଙ୍କୁ ଏକ ବର୍ଷ ଜେଲଦଣ୍ଡ ମିଳିଛି । ମାତ୍ର ସିଦ୍ଧୁଙ୍କ ଓକିଲ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ ଯେ, ସିଦ୍ଧୁଙ୍କୁ ଆତ୍ମସମର୍ପଣ କରିବାକୁ ଅତିକମ୍ରେ ଏକ ସପ୍ତାହ ମିଳୁ । କିନ୍ତୁ କୋର୍ଟ ଏହି ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଥିଲେ । ଏହା ପରେ ସିଦ୍ଧୁଙ୍କୁ ଜେଲ ଯିବାକୁ ପଡ଼ିଛି । ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ପଟିଆଲ ଜେଲ୍ରେ କଏଦୀ ନମ୍ବର ୨୪୧୩୮୩ ନମ୍ବର ମିଳିଛି ।
ଏହା ବ୍ୟତୀତ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ପଟିଆଲା ଜେଲରେ ଏକ ଚୌକି, ଟେବୁଲ, ୨ ପଗଡ଼ି, ଗୋଟିଏ ଆଲମିରା, ଗୋଟିଏ କମ୍ବଲ, ଗୋଟିଏ ଶୋଇବା ଖଟ ଓ ବାନିୟନ୍ ମିଳିଛି । ସେହିପରି ୨ଟି ଟାୱେଲ, ଗୋଟିଏ ମଶାରୀ (ମଶା), ହଳେ ଯୋତା, ୨ଟି ବେଡଶିଟ୍, ୪ଟି କୁର୍ତ୍ତା ଆଦି ମିଳିଛି । ସୂଚନାଯୋଗ୍ୟ ନବଜ୍ୟୋ ସିଂହ ସିଦ୍ଧୁଙ୍କୁ ଭିଆଇପି ଷ୍ଟାଟସ ହାସଲ ହୋଇଥିଲା । ତାଙ୍କୁ କଡ଼ା ସୁରକ୍ଷା ମଧ୍ୟ ମିଳିଥିଲା । ସେ ବିଳାସମୟ ଜୀବନ ବିତାଉଥିଲେ । କିନ୍ତୁ ତାଙ୍କୁ ସୁପ୍ରିମକୋର୍ଟ ଦ୍ୱାରା ଜେଲଦଣ୍ଡ ମିଳିଛି । ୧୯୮୮ ମସିହା ଡିସେମ୍ବର ୨୭ ସନ୍ଧ୍ୟା ସମୟରେ ସିଦ୍ଧୁ ନିଜର ବନ୍ଧୁ ରୁପିନ୍ଦର ସିଂହ ସଂଧୁଙ୍କ ସହିତ ପଟିଆଲାର ଶେରାୱାଲେ ଗେଟ ମାର୍କେଟ ଯାଇଥିଲେ ।
ମାର୍କେଟରେ ୬୫ ବର୍ଷୀୟ ଗୁରନାମ ସିଂହଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହା ପିଟାମରା ପର୍ଯ୍ୟନ୍ତ ଯାଇଥିଲା । ସିଦ୍ଧୁଙ୍କ ଆକ୍ରମଣରେ ବରିଷ୍ଠ ନାଗରିକ ତଳେ ପଡ଼ିଯାଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସିଦ୍ଧୁଙ୍କ ବିରୋଧରେ ପଂଜାବର ପଟିଆଲା ଜିଲ୍ଲାରେ ଏଫଆଇଆର ହୋଇଥିଲା । ପଟିଆଲାର ଟ୍ରାଏଲ କୋର୍ଟ ସିଦ୍ଧୁ ଓ ତାଙ୍କର ବନ୍ଧୁଙ୍କୁ ୧୯୯୯ ସେପ୍ଟେମ୍ବର ୨୨ରେ ଖଲାସ କରିଦେଇଥିଲେ । ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚି ଥିଲା । କୋର୍ଟ ୩-୩ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନ ଲଗାଇଥିଲେ । ହାଇକୋର୍ଟରେ ଦଣ୍ଡ କମ୍ ହେବାରୁ ପୀଡିତ ପରିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
