ଭେନେଜୁଏଲାରେ ପ୍ରାକୃତିକ ଦୁର୍ବିପାକ : ୨୫ ମୃତ, ୫୦ରୁ ଉର୍ଦ୍ଧ୍ଵ ନିଖୋଜ
ଭେନେଜୁଏଲା : ଭେନେଜୁଏଲାରେ ପ୍ରାକୃତିକ ଦୁର୍ବିପାକ। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏଥିରେ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟା କାରଣରୁ ୫୦ ରୁ ଉର୍ଦ୍ଧ୍ଵ ଲୋକ ନିଖୋଜ ଅଛନ୍ତି। ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି । ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଏମେଇ ଭେନେଜୁଏଲାର ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ଏନେଇ ସୂଚନା ଦେଇଛନ୍ତି। ମୂଷଳଧାରାରେ ବର୍ଷା ହେଉଥିବା କାରଣରୁ ମଧ୍ୟ ଭେନଜୁଏଲାର ୫ଟି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାହାଡ଼ ଗୁଡ଼ିକରେ ଭୂସ୍ଖଳନ ହେଉଛି। ଏହାଦ୍ଵାରା ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାଷ ଜମି ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କ ପାଇଁ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବହୃତ ହେଉଥିବା ପମ୍ପ ମଧ୍ୟ ବନ୍ୟା ଜଳରେ ଭାସି ଯାଇଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଦ୍ଧାରକାରୀ ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
