ୟୁକ୍ରେନକୁ ସହାୟତା କରିବ ନାଟୋ
ନୂଆଦିଲ୍ଲୀ : ବ୍ରୁସେଲ୍ଫରେ ନାଟୋର ନେତାମାନଙ୍କ ସାକ୍ଷାତକାର । ୟୁକ୍ରେନ ଉପରେ ଋଷର ଆକ୍ରମଣର ଏକ ମାସ ପରେ ବସିଛି ନାଟୋ ନେତାଙ୍କ ବୈଠକ । ସେମାନେ କହିଛନ୍ତି ଯେ, ଋଷର ଆକ୍ରମଣର ମୁକାବିଲା ତଥା ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରିବା ପାଇଁ ଆମେ ୟୁକ୍ରେନକୁ ସୁରକ୍ଷା ସହାୟତା ଜାରି ରଖିବୁ । ଏହି ସମୟରେ ନାଟୋ କହିଛି ଯେ ବାଲଟିକ୍ ସାଗରରୁ କଳା ସାଗର ପର୍ଯ୍ୟନ୍ତ ମୋଟ ୮ଟି ନାଟୋ ଯୁଦ୍ଧ ଜାହାଜ ମଧ୍ୟ ମୁତୟନ କରିବାକୁ ପ୍ରସ୍ତୁତ ଅଛି । ନାଟୋର ଏହି ଜରୁରୀକାଳୀନ ବୈଠକରେ ସମଗ୍ର ଦୁନିଆର ନଜର ଥିଲା, କାରଣ ୟୁକ୍ରେନରେ ଋଷ ବିରୋଧରେ ନାଟୋର କାଉଣ୍ଟର ପ୍ଲାନ୍ ଉପରେ ଜରୁରୀକାଳୀନ ବୈଠକରେ ମୋହର ଲାଗିବାର ଥିଲା ।
ଏହି ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବିଶ୍ୱର ୩୦ଟି ଦେଶର ଶୀର୍ଷ ନେତୃତ୍ୱ ମନ୍ଥନ କରିଛନ୍ତି । ବୈଠକରୁ ଯେଉଁ ବଡ଼ କଥା ସାମ୍ନାକୁ ଆସିଛି, ସେଥିରେ ସ୍ପଷ୍ଟ ଜଣାପଡ଼ୁଛି ଯେ ପୁଟିନ ନିଜର ହିଁ ପରମାଣୁ ଜାଲରେ ଅତି ଖରାପ ଭାବେ ଫସିଛନ୍ତି । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ବୈଠକରେ ୟୁକ୍ରେନର କୌଣସି ଲାଭ ବିଷୟରେ ଆଲୋଚନା କରାଯାଇ ନାହିଁ । ଏହି ବୈଠକରେ ନାଟୋ ନିଜର ପ୍ରତିରକ୍ଷା ପାଇଁ ସମସ୍ତ ଯୋଜନା ଉପରେ ସିଧାସଳଖ ଆଲୋଚନା କରିଛି । ନାଟୋର ୩୦ଟି ଦେଶ, ଜି-୭ ର ସାତୋଟି ଦେଶ ଏବଂ ୟୁରୋପୀୟ ୟୁନିଅନର ୨୭ଟି ଦେଶ ପୁଟିନଙ୍କ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି । ନାଟୋର ଉଦ୍ଦେଶ୍ୟ ହେଉଛି ଋଷର ସାମରିକ ଅବରୋଧ କରିବା ଯାହା ଦ୍ୱାରା ଏସବୁ ଦେଶ ଉପରେ ଆକ୍ରମଣ ହେଲେ ନାଟୋ ଆକ୍ରମଣ କରିପାରିବ । ଜି-୭ ଦେଶଗୁଡିକର ଉଦ୍ଦେଶ୍ୟ ହେଉଛି ଅର୍ଥନୈତିକ ପ୍ରତିବନ୍ଧକ ବୃଦ୍ଧି କରି ଋଷ ଉପରେ ଚାପ ପକାଇବା ଓ ୟୁରୋପୀୟ ୟୁନିଅନ୍ ଏହି ପ୍ରସଙ୍ଗରେ ଋଷ ଉପରେ କୂଟନୈତିକ ଆକ୍ରମଣ କରିବାକୁ ଚାହୁଁଛି ।
