ବିଏସଏଫ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମା ସ୍ଥିତ ଡାରଉଈନ୍ ମେମୋରିଆଲ ଡିଗ୍ର୍ରି ମହାବିଦ୍ୟାଳୟରେ ବିଏସଏଫ ୧୫୧ ବାଟାଲିୟନ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଏସଏଫ ୧୫୧ ବାଟାଲିୟନର କମାଣ୍ଡର ନୀରଜ କୁମାର ଶର୍ମା, ସବ୍ ଇନ୍ସପେକ୍ଟର ଭିପିନ୍ କୁମାର, ଆସିଷ୍ଟାଂଟ ସବ୍ ଇନ୍ସପେକ୍ଟର ସତାପା, ହେଡ କନଷ୍ଟେବଳ ଏମ୍.ବାଲକ୍ରିଷ୍ଣା, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଓ ସମାଜସେବୀ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ୍ ଅଫିସର ସଞ୍ଜିତା ଖୋସ୍ଲା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟରୁ ଜାତୀୟ ପତାକା ଧରି ଦୌଡ଼ି ଦୌଡ଼ି ବି.ଏସ୍ .ଏଫ୍ କ୍ୟାମ୍ପ୍ ନିକଟରେ ପହଂଚି ଥିଲେ । ସେଠାରେ ବି.ଏସ୍. ଏଫ୍ କମାଣ୍ଡର ଶ୍ରୀ ଶର୍ମା ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ମହତ୍ୱ ଓ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ବିରଳ ପ୍ରତିଭାର ଧନୀ ସର୍ଦାର କିପରି ୫୬୫ ଗଡ଼ଜାତ ରାଜ୍ୟ ମାନଙ୍କୁ ଏକତାର ସୂତ୍ରରେ ବାନ୍ଧିଥିଲେ ଓ ଯାହାଙ୍କ ଯୋଗୁଁ ଏକ ଭାରତ ସର୍ବଶ୍ରେଷ୍ଠ ଭାରତର ମୂଳଦୁଆ ପଡ଼ିଥିଲା । ଏହାପରେ ସମସ୍ତେ ଅନ୍ୟ ମାନଙ୍କ ହାତ ଧରାଧରି ହୋଇ ଏକ ମାନବ ଶୃଙ୍ଖଳ ଗଠନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ହାତ ଉପରକୁ ଉଠେଇ ରାଷ୍ଟୀୟ ଏକତା ଦିବସର ଶପଥପାଠ କରିଥିଲେ ଓ ଭାରତ ମାତାକି ଜୟ ଧ୍ୱନି ଦେଇଥିଲେ ।
