ଜାତୀୟ ସମର ଶିକ୍ଷାର୍ଥୀ ଦିବସ ପାଳିତ
ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀ ପଦାତିକ ତରଫରୁ ଆଜି ଏନସିସି ଦିବସ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶୁଭେନ୍ଦୁ ପାତ୍ର ଉପଖଣ୍ଡୀୟ ପୋଲିସ ଅଧିକାରୀ ଯୋଗଦାନ ପୂର୍ବକ ଏନସିସି ପତାକା ଉତୋଳନ କରିବା ସହ ଏକ ଏନସିସି ସାଇନବୋର୍ଡ ର ଉନ୍ମୋଚନ କରିଥିଲେ । ଉକ୍ତ ସଭାରେ ସ୍ୱତନ୍ତ୍ର ଅତିଥି ରୂପେ ରାଜ ପ୍ରାସାଦ ଅଜାଲଟ କମାଣ୍ଡର ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ପାଠ ପଢିବା ସହିତ ଏନସିସିରେ ଯୋଗଦାନ କରି ଭାରତର ଏକତା ତଥା ଅଖଣ୍ଡତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରଥମେ ସିଡିଓ ଡଃ. ରଞ୍ଜନ କୁମାର ସ୍ୱାଇଁ ମଂଚ ପରିଚାଳନା କରିଥିବା ବେଳେ ଏନସିସି ଅଧିକାରୀ ଲେଫନେଣ୍ଟ ସୁଶାନ୍ତ କୁମାର ମାଝୀ ଏହି ସଭାର ଆୟୋଜକ କରିଥିଲେ । ଏହି ଅବସରରେ ପୂର୍ବରୁ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସନ୍ମାନିତ କରାଯାଇଥିଲା । ଏନସିସିରେ ଉତୀର୍ଣ୍ଣ ହୋଇଥିବା ବି. ସାର୍ଟିଫିକେଟ ଡିଗ୍ରୀଧାରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବରେ ୨ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଅବସରରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥିଲା । ଭବିଷ୍ୟତରେ ଏକ ବାଳିକା ଏନସିସି ୟୁନିଟ ଖୋଲିବା ପାଇଁ ଏକ ପ୍ରସ୍ତାବ ଅନୁମୋଦିତ ହୋଇଛି, ଏହି ସଭାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଣ ଶିକ୍ଷକ ତଥା ପୂର୍ବତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଭାକୁ ଆଗେଇ ନେଇଥିଲେ । ସଭା ଶେଷରେ ଲେଫ୍ଟେନାଂଟ ସୁଶାନ୍ତ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
