ବାରିପଦା : ୩୦ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ-୨୦୨୨ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ବାରିପଦାସ୍ଥିତ ଶରତ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ନବ କିଶୋର ଗିରି ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କର ବୈଜ୍ଞାନିକ ଚିନ୍ତାଧାରାକୁ ବିକଶିତକରିବାରେ ସାହାଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଯୋଗ ଦଇଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାପାଳର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଜିଲ୍ଲା ସଂଯୋଜକ କୃତୀ ଶିକ୍ଷକ ଅଜିତ କୁମାର ଜେନା କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଶିକ୍ଷକ ସଂଯୋଜକ କୃତୀ ଶିକ୍ଷକ ବସନ୍ତ କୁମାର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ୟୋସ୍ନାରାଣୀ ମହାପାତ୍ରଙ୍କ ସଞ୍ଚାଳନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚିତ୍ରଡା ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ପ୍ରଧ୍ୟାପିକା ସୁଷମା ଷଡଙ୍ଗୀ, ରସାୟନ ବିଜ୍ଞାନର ପ୍ରଧ୍ୟାପକ କାମଦେବ ପୀଠ ଓ ପୂର୍ବତନ ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ । ବିଚାରକମାନଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ପ୍ରକଳ୍ପର ଦଳମୁଖ୍ୟ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ୨୦୨୨ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଶିକ୍ଷକ ନୟନ କୁମାର ଗିରି, ବିଷ୍ଣୁପଦ ଆଚାର୍ଯ୍ୟ, ମନୋଜ କୁମାର ପରିଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରଘୁନାଥ ହାଇସ୍କୁଲ, ରାଇକମାର ଛାତ୍ରୀ ଜ୍ୟୋତିର୍ମୟୀ ନାଥ, ଲାଲ ମୋହନ ପତି ହାଇସ୍କୁଲ, ଧନପୁରର ଛାତ୍ରୀ ଲିପ୍ସା ମହାନ୍ତ, ସରକାରୀ ଉଚ୍ଚ ବିଦ୍ୟାଳୟ, ଦାନ୍ତିଆମୁହାଁର ଛାତ୍ରୀ ପୁଷ୍ପମିତ୍ରା ମହାନ୍ତ ଓ ରରୁଆଁ ବ୍ଲକର ଟିଙ୍ଗିରିଆ ସ୍ମିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଆସ୍ମା ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।
Post Views: 35,617