ନାସାର ୧୦ ନୂଆ ମହାକାଶଚାରୀଙ୍କ ମଧ୍ୟରେ ଜଣେ ମୂଳ ଭାରତୀୟ
କାଲିଫର୍ଣ୍ଣିଆ : ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ଦ୍ୱାରା ମନୋନୀତ ୧୦ ଜଣ ନୂତନ ମହାକାଶଚାରୀଙ୍କ ମଧ୍ୟରେ ଜଣେ ମୂଳ ଭାରତୀୟ ରହିଛନ୍ତି। ତାଙ୍କ ନାମ ଅନୀଲ ମେନନ୍ ଓ ସେ ସ୍ପେସ୍ ଏକ୍ସର ମେଡିକାଲ୍ ନିର୍ଦେଶକ ଅଛନ୍ତି। ସେ ଆମେରିକାର ମିନେସୋଟାରେ ରହୁଥିବାବେଳେ ଆମେରିକା ବାୟୁସେନାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଧ୍ୟ ଅଛନ୍ତି। ଏହି ନୂତନ ମହାକାଶଚାରୀଙ୍କ ମଧ୍ୟରେ ଅଧିକାଂଶ ସାମରିକ ପାଇଲଟ୍ ହୋଇଥିବାବେଳେ ହ୍ୟୁଷ୍ଟନରେ ଏକ ସମାରୋହରେ ସ୍ପେସ୍ ଏଜେନ୍ସି ନାସା ୬ ଜଣ ପୁରୁଷ ଏବଂ ଚାରି ଜଣ ମହିଳା ମହାକାଶଚାରୀଙ୍କ ବାବଦରେ ସୋମବାର ଘୋଷଣା କରିଛି।
ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ, ଚନ୍ଦ୍ର ଏବଂ ଶେଷରେ ମଙ୍ଗଳ ଗ୍ରହର ମିଶନ ଯୋଜନା କରିବେ। ଏହା ପୂର୍ବରୁ ସେ ବିଭିନ୍ନ ମିଶନରେ ନାସାରେ କ୍ରୁ ଫ୍ଲାଇଟ୍ ସର୍ଜନ ଭାବରେ କାର୍ଯ୍ୟ କରିଛନ୍ତି ଯାହା ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ନେଇଛି। ନିକଟରେ ସେ ସ୍ପେସ ଏକ୍ସର ସେହି ଫ୍ଲାଇଟରେ ସର୍ଜନ ଥିଲେ, ଯାହାକି ମଣିଷଙ୍କୁ ନେଇ ପ୍ରଥମଥର ପାଇଁ ଅନ୍ତରୀକ୍ଷକୁ ଯାଇଥିଲା।
ସୂଚନା ମୁତାବକ ଅନୀଲ ମେନନଙ୍କ ପିତା ଭାରତୀୟ ହୋଇଥିବାବେଳେ ମାତା ମୂଳତଃ ୟୁକ୍ରେନର ବାସିନ୍ଦା। ୧୯୭୬ରେ ଜନ୍ମ ହୋଇଥିବା ଅନୀଲ ମେନନ୍ ଆନ୍ନାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ଅନୀଲ ଅନେକ ଥର ଭାରତ ଗସ୍ତ କରିଛନ୍ତି। ତେବେ ଏହି ମିଶନ ପାଇଁ ୧୨ ହଜାରରୁ ଅଧିକ ଲୋକ ଆବେଦନ କରିଥିଲେ। ୩୦ରୁ ୪୦ ବର୍ଷ ମଧ୍ୟରେ ନାସା ଦ୍ୱାରା ମନୋନୀତ ୩୦ରୁ ୪୦ ବର୍ଷ ବୟସର ଏହି ୧୦ ଜଣ ନୂତନ ମହାକାଶଚାରୀଙ୍କୁ ପ୍ରଥମ ଦୁଇ ବର୍ଷ ପାଇଁ ତାଲିମ ଦିଆଯିବ ଯଦ୍ୱାରା ସେମାନେ ‘ସ୍ପେସ୍ ଫ୍ଲାଇଟ୍’ରେ ଯାତ୍ରା କରିବାକୁ ଯୋଗ୍ୟ ହୋଇପାରିବେ।
