ନନ୍ଦିଗ୍ରାମ ନିର୍ବାଚନ ପରିଣାମ : ଅଗଷ୍ଟ ୧୨ରେ ପରବର୍ତ୍ତୀ ଶୁଣାଣି
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ନେଇ କୋଲକାତା ଉଚ୍ଚନ୍ୟାୟଳୟରେ ପହଞ୍ଚିଥିଲେ। ଅଧିକାରୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ନିର୍ବାଚନ କ୍ଷେତ୍ରରୁ ମମତାଙ୍କୁ ୧,୯୫୬ ଭୋଟରେ ହରାଇଥିଲେ। ତେବେ ଏହି ପରାଜୟକୁ ମମତା ଗ୍ରହଣ କରି ନପାରି ଅଦାଲତରେ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାକୁ ନେଇ ବୁଧବାର ଶୁଣାଣି ହୋଇଥିଲା। ଏହି ଶୁଣାଣିରେ ନନ୍ଦିଗ୍ରାମ ଆସନରେ ଭୋଟିଂ ବେଳେ ବ୍ୟବହୃତ ହୋଇଥିବା ଇଭିଏମ, ବାଲେଟ ପେପର ଓ ଏହା ସହ ଜଡ଼ିତ ସମସ୍ତ ଦସ୍ତାବିଜ ଏବଂ ଭିଡିଓ ରେକର୍ଡିଂକୁ ସଂରକ୍ଷିତ କରି ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ କୋର୍ଟ ନୋଟିସ ଜାରି କରିଛନ୍ତି।
ଅନଲାଇନ ଶୁଣାଣିରେ ଉପସ୍ଥିତ ରହି ମମତା ବାନାର୍ଜୀ କହିଛନ୍ତି ଯେ, ବୁଥ ଦଖଲ, ଲାଞ୍ଚ ଓ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରି ଶୁଭେନ୍ଦୁ ଅଧିକାରୀ ଭୋଟ ହାସଲ କରିଛନ୍ତି। ଭୋଟ ଗଣତିରେ ଅନେକ ଅନିୟମିତତା ହୋଇଛି। ଯାହାକି ଆଦୌ ଠିକ ନୁହେଁ। ତେଣୁ ଏହି ନିର୍ବାଚନକୁ ଅବୈଧ ଘୋଷଣା କରାଯାଉ । ପ୍ରକାଶିତ ରିପୋର୍ଟ ମୁତାବକ, ମମତାଙ୍କ ଆବେଦନର ଶୁଣାଣି ଜଷ୍ଟିସ କୌଶିକ ଚନ୍ଦ୍ରାଙ୍କ ଖଣ୍ଡପୀଠରେ ହେବାର ଥିଲା। କିନ୍ତୁ ଜଷ୍ଟିସ କୌଶିକ ବିଜେପି ସହ ଜଡ଼ିତ ଥିବା ବୋଲି ମମତା ଅଭିଯୋଗ କରିଥିଲେ। ଏହି କାରଣରୁ କୌଶିକ ନିଜ ଆଡୁ ଜୁଲାଇ ୭ ତାରିଖରେ ଶୁଣାଣିରୁ ଓହରି ଯାଇଥିଲେ। ଏଥିସହିତ କୌଶିକ ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗୁ କରିଥିଲେ। ଏହାପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲଙ୍କ ନିର୍ଦ୍ଦେଶକ୍ରମେ ଜଷ୍ଟିସ ଏସ୍ ସରକାର ମାମଲାର ଶୁଣାଣି କରିଛନ୍ତି। ତେବେ ପଶ୍ଚିମବଙ୍ଗରେ ନନ୍ଦିଗ୍ରାମ ବିଧାନସଭା ଆସନକୁ ନେଇ ହେବାକୁ ଥିବା ନିଷ୍ପତ୍ତି ପାଇଁ ମମତା ବାନାର୍ଜୀଙ୍କୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ପଡ଼ିବ। ଏହି ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧୨ ତାରିଖରେ ହେବ ବୋଲି କୁହାଯାଉଛି।
