ମୁସେୱାଲା ହତ୍ୟା ମାମଲା : ଆଜିଠୁ ୭ ଦିନିଆ ରିମାଣ୍ଡରେ ଗ୍ୟାଙ୍ଗ୍ଷ୍ଟର୍ ଲରେନ୍ସ ବିଷ୍ଣୋଇ
ନୂଆଦିଲ୍ଲୀ : ଗାୟକ-ରାଜନେତା ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗ୍ୟାଙ୍ଗ୍ଷ୍ଟର୍ ଲରେନ୍ସ ବିଷ୍ଣୋଇଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବା ଲାଗି ଆଜି ସକାଳେ ପଞ୍ଜାବର ମାନସା ଜିଲା ସ୍ଥିତ ଏକ ଅଦାଲତ ପୁଲିସକୁ ଅନୁମତି ଦେଇଛନ୍ତି। ବିଷ୍ଣୋଇ ହେଉଛନ୍ତି ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଜିଲା ସିଭିଲ୍ ହସ୍ପିଟାଲ୍ରେ ଡାକ୍ତରୀ ପରୀକ୍ଷା ଶେଷ ହେବା ପରେ କଡ଼ା ସୁରକ୍ଷାରେ ବିଷ୍ଣୋଇଙ୍କୁ ବୁଧବାର ପାହାନ୍ତା ପ୍ରାୟ ୪ଟା ବେଳେ ଡିୟୁଟି ମାଜିଷ୍ଟ୍ରେଟ୍ଙ୍କ ଆଗରେ ହାଜର କରାଯାଇଥିଲା। ରିମାଣ୍ଡ ଆଦେଶ ପାଇବା ପରେ ପଞ୍ଜାବ ପୁଲିସ ବିଷ୍ଣୋଇଙ୍କୁ ମୋହାଲିକୁ ନେବା ପାଇଁ ବ୍ୟବସ୍ଥା କରୁଛି। ସେଠାରେ ତାଙ୍କୁ ଜେରା କରାଯିବ।
ସୂଚନାଯୋଗ୍ୟ, ଗ୍ୟାଙ୍ଗ୍ଷ୍ଟର୍ ବିଷ୍ଣୋଇଙ୍କୁ ଜେରା ପାଇଁ ରାଜ୍ୟକୁ ନେବା ପାଇଁ ମଙ୍ଗଳବାର ଦିନ ଦିଲ୍ଲୀର ଏକ ଅଦାଲତ ପଞ୍ଜାବ ପୁଲିସକୁ ଅନୁମତି ପ୍ରଦାନ କରିଥିଲେ। ୪ ପୃଷ୍ଠାର ଆଦେଶନାମାରେ ବିଚାରପତି କହିଥିଲେ, ପରିସ୍ଥିତିର ସାମଗ୍ରିକତା, ଅପରାଧର ସାଙ୍ଘାତିକତା ଏବଂ ଗାୟକ ଶୁଭଦୀପ ସିଂହ ଓରଫ୍ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଲରେନ୍ସ୍ ବିଷ୍ଣୋଇଙ୍କ ବିରୋଧରେ ଆଗତ ଅଭିଯୋଗର ଗମ୍ଭୀରତାକୁ ବିଚାର କରି ଦିନିକିଆ ଟ୍ରାଞ୍ଜିଟ୍ ରିମାଣ୍ଡ୍ ଆବେଦନକୁ ମଞ୍ଜୁର କରାଯାଉଛି। ବିଷ୍ଣୋଇଙ୍କୁ ଜୁନ୍ ୧୫ ତାରିଖ ଦିନ ମାନସା ‘ସିଜେଏମ୍’ଙ୍କ ଆଗରେ ହାଜର କରାଯିବାକୁ ଅଦାଲତ ଆଦେଶ ଦେଉଛନ୍ତି। ମାନସା ଅଦାଲତରେ ହାଜର କରାଯିବା ପରେ ପଟିଆଲା ହାଉସ୍ କୋର୍ଟରେ ‘କମ୍ପ୍ଲିଆନ୍ସ୍ ରିପୋର୍ଟ’ ଦାଖଲ କରିବା ପାଇଁ ମଧ୍ୟ ଅଦାଲତ ପଞ୍ଜାବ ପୁଲିସକୁ ଆଦେଶ ଦେଇଛନ୍ତି। ଗାୟକ ମୁସେୱାଲାଙ୍କ ହତ୍ୟା ମାମଲାରେ ବିଷ୍ଣୋଇଙ୍କୁ ଗିରଫ କରିବା ଲାଗି ସୋମବାର ଦିନ ମାଜିଷ୍ଟେଟ୍ ଗରିଫ ପର୍ୱାନା ଜାରି କରିଥିଲେ।
