ପୌର ନିର୍ବାଚନ : ସରିଲା ପ୍ରଚାର, ୨୪ରେ ଭୋଟ
ଭୁବନେଶ୍ୱର: ଆଉ ଦିନକ ପରେ ପୌର ନିର୍ବାଚନ । ରାଜ୍ୟର ୧୦୬ଟି ବିଜ୍ଞାପିତ ଅଂଚଳ ପରିଷଦ, ପୌର ପାଳିକା ସମେତ ୩ଟି ମହାନଗର ନିଗମ (ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର) ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହେଇଛି । ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ପ୍ରାର୍ଥୀ, ନେତା ଓ ସେମାନଙ୍କର ସମର୍ଥକ ମାନେ ଜୋରଦାର ପ୍ରଚାର କରିଛନ୍ତି । ସହରାଂଚଳଗୁଡ଼ିକରେ ନିର୍ବାଚନ ପ୍ରଚାର ଶବ୍ଦରେ ସାହି ଓ ବସ୍ତିଗୁଡ଼ିକ କମ୍ପି ଉଠିଛି । ଦିନକ ପରେ ଅର୍ଥାତ ମାର୍ଚ୍ଚ ୨୪ ତାରିଖରେ ଭୋଟ ଗ୍ରହଣ କରାଯିବ । ମାର୍ଚ୍ଚ ୨୬ ତାରିଖରେ ଫଳାଫଳ ପ୍ରକାଶ ପାଇବ ।
ପୌର ନିର୍ବାଚନ ପାଇଁ ମତଦାନ ଦିବସ ପାଖେଇ ଆସୁଥିବାରୁ ସହରର ରାଜନୀତି ସରଗରମ ହୋଇଛି । ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଡୋର ଟୁ ଡୋର କ୍ୟାମ୍ପେନିଂ କରିବା ସହିତ ରୋଡ ସୋ’ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ମଙ୍ଗଳବାର ଭୁବନେଶ୍ୱରସ୍ଥିତ ସହିଦ ନଗରରେ ଖାରବେଳ ସ୍ୱାଇଁ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସହିପରି ସାଂସଦ ଅପରାଜିତ ଷଡ଼ଙ୍ଗୀ ମଧ୍ୟ ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ (ଉତର) ଅଂଚଳରେ ପ୍ରଚାର କରିଥିବା ଜଣାଯାଇଛି । ବସ୍ତି ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଶାସକ ବିଜେଡି, ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୮ ନମ୍ବର ୱାର୍ଡ (ପାଣ୍ଡରା-ରସୁଲଗଡ଼-ପଳାଶୁଣୀ) ଅଂଚଳରେ ମେୟର ପ୍ରାର୍ଥୀ ସୁଲୋଚନା ଦାସ, ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ଯୁବନେତା ଚିତରଂଜନ ଦାସ, ରୁଦ୍ର ପ୍ରତାପ ସାମନ୍ତରାୟ ଓ ସ୍ଥାନୀୟ କର୍ପେରେଟର ବିପ୍ଲବ ବେହେରା ବିଜେଡି ପ୍ରଚାର କରିଛନ୍ତି । ଏହି ପ୍ରଚାର ସମୟରେ ୫୦୦ରୁ ଅଧିକ ବିଜେଡି କର୍ମୀ ଓ ସମର୍ଥକ ଥିଲେ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକାମ୍ରରେ, ବିଧାୟକ ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର (ମଧ୍ୟ)ରେ ନିର୍ବାଚନ ପ୍ରଚାର କରିଛନ୍ତି ।
ପୌରନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବାବେଳେ ଆଜି ପ୍ରଚାର ଶେଷ ହୋଇଛି । ତେବେ ପ୍ରଥମେ ନାମାଙ୍କନ ପତ୍ର ଦାଖଲ ପରେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଏହାକୁ ଯାଂଚ କରାଯାଇଥିଲା । ଯାଂଚ ପରେ ପ୍ରାଥି ତାଲିଖ ପ୍ରସ୍ତୁତ ହୋଇ ପ୍ରାଥୀଙ୍କୁ ଭୋଟ ଲାଗି ଚିହ୍ନ ଦିଆଯାଇଥିଲା । ପରେ ୧୫ ତାରିଖରୁ ସହରରେ ଆରମ୍ଭ ହୋଇଥିଲା ପ୍ରଚାର । କଟକ ସହରର ପ୍ରତ୍ୟେକ ଗଳି କନ୍ଦି ବୁଲି ପ୍ରଚାର କରିଛନ୍ତି ମେୟର ପ୍ରାଥି ଓ କର୍ପୋରେଟର ପ୍ରାଥି । କେବଳ ପ୍ରାଥି ନୁହେ ତାଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଷ୍ଟାର କ୍ୟାମ୍ପେନର । ତେବେ ଆଜି ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳର ମେୟର ପ୍ରାଥି, କର୍ପୋରେଟର ପ୍ରାଥୀମାନେ ଶତାଧିକ ସମର୍ଥକଙ୍କ ସହ ବିଶାଳ ଶୋଭଯାତ୍ରା ବାହାରି ସହରର ପ୍ରତ୍ୟେକ ଘର ଘର ବୁଲି ଭୋଟ ପାଇଁ ନିବେଦନ କରିଥିଲେ । ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆଙ୍କ ସମେତ ଐଶ୍ୱର୍ଯ୍ୟା ବିଜେଡି ପାଇଁ ହାସ୍ୟଭିନେତା ପୂର୍ଣ୍ଣଚନ୍ଦ୍ର, ଧାରାବାହିକ ଅଭିନେତ୍ରୀ ଛନ୍ଦିତା ବିଜେପି ପାଇଁ ଆଜି ବ୍ରହ୍ମପୁରରେ ପ୍ରଚାର କରିଛନ୍ତି । ସେହିଭଳି ଓଡ଼ିଆ ଧାରାବାହିକ ଅଭିନେତ୍ରୀ ଅଙ୍କିତା ବିଜେଡି ଦଳ ପାଇଁ ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ମହାନଗର ନିଗମ ନିର୍ବାଚନ ପାଇଁ ବ୍ରହ୍ମପୁରରେ ଆଜି ଏକାଧିକ ରୋଡ ସୋ’ ମଧ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସ ଓ ଆମ୍ ଆଦମୀ ପାର୍ଟର ନେତା ଓ ସମର୍ଥକମାନେ ପ୍ରଚାର କରିଥିଲେ । ନିର୍ବାଚନ ପ୍ରଚାର ଶେଷ ହୋଇଯାଇଥିବା ବେଳେ ଆଜି ଠାରୁ ନେତାମାନେ ଅନ୍ଧାରୀ ବିଜେ ପାଇଁ ଯୋଜନା ଚଳାଇଛନ୍ତି । ସମ୍ବଲପୁର କୁଚିଣ୍ଡା ଏନଏସି ନିର୍ବାଚନ ପାଇଁ ଜୋରଦାର ମଧ୍ୟ ପ୍ରଚାର କରାଯାଇଛି । ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ପ୍ରଚାରର ମଙ୍ଗ ଧରିଛନ୍ତି ସେଲିବ୍ରେଟି ଏଲି ପାଢୀ । ଚେୟାରମ୍ୟାନ ପ୍ରାର୍ଥୀ ଶୁଶୀଲ କୁମାର କର, ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ଏବଂ ସମର୍ଥକଙ୍କ ସହ ଏଲି ପାଢୀ ରୋଡ଼ ସୋ’ କରିବା ସହ ମଟରସାଇକେଲ ରାଲିରେ ସହର ପରିକ୍ରମା କରିଛନ୍ତି । ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି । ପୌର ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଭୋଟ୍ ହାତେଇବା ପାଇଁ ସବୁଦଳ ପକ୍ଷରୁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ତେବେ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଭୋଟର ।
