ବାଲେଶ୍ୱରର ରେଳ ବିକାଶ ପାଇଁ ଦକ୍ଷିଣପୂର୍ବ ରେଳବାଇ ଜେନେରାଲ ମ୍ୟାନେଜରଙ୍କ ସହ ଆଲୋଚନା କଲେ ସାଂସଦ
ବାଲେଶ୍ୱର : ଦକ୍ଷିଣପୂର୍ବ ରେଳବାଇ ଜେନେରାଲ ମେନେଜର ଅର୍ଚ୍ଚନା ଜୋଷୀ ମହୋଦୟାଙ୍କ ବାଲେଶ୍ୱର ଗସ୍ତ ସମୟରେ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱର ଜିଲାରେ ରେଳ ବିକାଶ ପାଇଁ ବିସ୍ତୃତ ଆଲୋଚନା କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ପରିସରରେ ଏହି ଆଲୋଚନା ହୋଇଥିଲା ।
ଆଲୋଚନାର ବିଷୟବସ୍ତୁ ମଧ୍ୟରେ ବାଲେଶ୍ୱର, ଜଳେଶ୍ୱର, ସୋର ଓ ମାର୍କୋଣାରେ ନୂତନ ଷ୍ଟେସନ ଗୃହ ନିର୍ମାଣ, ତୃତୀୟ ଲାଇନର ଅଗ୍ରଗତି, ତୁରନ୍ତ ଭାବେ ବସ୍ତାରେ ଦୁଇଟି ଓ ଅମର୍ଦ୍ଦା ଠାରେ ଗୋଟିଏ ରେଳ ଓଭରବ୍ରିଜର କାମ ଆରମ୍ଭ, ବାଙ୍ଗିରିପୋଷି-ରୂପସା ଟ୍ରେନ୍କୁ ବାଲେଶ୍ୱର ପର୍ଯ୍ୟନ୍ତ ଚାଲୁ କରିବା, ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନରେ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ କୋଚ ସଂଖ୍ୟା ବୃଦ୍ଧି କରିବା, ମାର୍କୋଣାରୁ ଜଳେଶ୍ୱର ପର୍ଯ୍ୟନ୍ତ ଥିବା ଷ୍ଟେସନ ମାନଙ୍କରେ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି କରିବା, ଜଳେଶ୍ୱର ଓ ବସ୍ତାରେ ଉତ୍କଳ ଏକ୍ସପ୍ରେସର ରହଣି ବ୍ୟବସ୍ଥା କରିବା, ଜିଲାର ସମସ୍ତ ରେଳ ସଂଲଗ୍ନ ରାସ୍ତାର ଉନ୍ନତିକରଣ ଓ ରେଳବାଇର ଅବ୍ୟବହୃତ ଜମିରେ ପଞ୍ଚାୟତ ମାଧ୍ୟମରେ ନଡ଼ିଆ ଚାଷ କରିବା ଯାହା ଦ୍ୱାରା ଉଭୟ ରେଳବାଇ ଓ ସ୍ଥାନୀୟ ଚାଷୀ ଉପକୃତ ହେବା ସହିତ ଆଗାମୀ ଦିନରେ ନଡ଼ିଆକତା ବୋର୍ଡ଼ର ଆବଶ୍ୟକତା କଞ୍ଚାମାଲ ମିଳିପାରିବ । ଆଲୋଚନା ସମୟରେ ସାଂସଦଙ୍କ ସହିତ ଡେପୁଟି ଜେନେରାଲ ମେନେଜର ମନୋରଞ୍ଜନ ପ୍ରଧାନ, ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲା ଉପସଭାପତି କମଲଲୋଚନ ଦାସ, ସୁଶାନ୍ତ ବେରା ପ୍ରମୁଖ ଉପସ୍ଥିତ ଥିଲେ ।
