ସ୍ଥାନାନ୍ତର ହେଲା ପାଣିକୋଇଲି ଟୋଲ୍ଗେଟ
ପାଣିକୋଇଲି : ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗ ମଧ୍ୟରେ ଆଲୋଚନା ପରେ ଶେଷରେ ସ୍ଥାନାନ୍ତର ହେଲା ପାଣିକୋଇଲି ଟୋଲ୍ଗେଟ । ଟୋଲ୍ଗେଟଟି ପାଣିକୋଇଲି ଠାରୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେଉଳିଆକୁ ସ୍ଥାନାନ୍ତର ହୋଇଛି।
ଏହି ବେଆଇନ ଟୋଲଗେଟକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ସହ ଗାଡି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସବୁ ସରକାରୀ ନିୟମକୁ ଦଳି ମକଚି ଦେଇ ବେଆଇନ ଭାବେ ଟୋଲ ଆଦାୟ ହେଉଥିବାର ଅଭିଯୋଗ ହୋଇଥିଲା। ବର୍ଷେ ତଳୁ ଟୋଲ୍ଗେଟ ଉଠିଯିବାକୁ ଥିବାବେଳେ ତାହା ନ ହୋଇ ଟୋଲଦେୟ ଦୁଇଗୁଣ ବୃଦ୍ଧି ପାଇଥିଲା। ଫଳରେ ଗାଡି ମାଲିକ ଟଙ୍କା ଗଣି ନୟାନ୍ତ ହେଉଥିଲେ। ଏହି ବେଆଇନ ଟୋଲଗେଟ ଯୋଗୁଁ ଅନେକ ସମୟରେ ଟୋଲଗେଟ ବୁମ ବେରିଅର, ଡିଭାଇଡରରେ ପିଟି ହୋଇ ଅନେକ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହେବା ସହ ମୃତ୍ୟୁମୁଖରେ ପଡୁଥିଲେ। ଏହାକୁ ନେଇ ପାଣିକୋଇଲି ମା’ ତାରିଣୀ ଟ୍ରକ ମାଲିକ ସଂଘ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଦୀର୍ଘ ଦିନ ହେବ ଭଦ୍ରକ ଜିଲାର ନେଉଳିଆ ଠାରେ ଟୋଲ ପ୍ଲାଜାର କାର୍ଯ୍ୟାଳୟ, କମ୍ପ୍ୟୁଟର ରୁମ, ଟୋଲବୁଥ୍, ବୁମ୍ ବେରିଅର, ବିଦ୍ୟୁତ୍ ସରବରାହ, ସାଇନ ବୋର୍ଡ ଆଦି ସମସ୍ତ ନିର୍ମାଣ ପରେ ପାଣିକୋଇଲି ଟୋଲଗେଟ୍ ବୁଧବାର ସକାଳ ୮ଟାରେ ପାଣିକୋଇଲି ଠାରୁ ଭଦ୍ରକ ଜିଲାର ନେଉଳିଆକୁ ଉଠିଯାଇଛି ବୋଲି ଟୋଲ ପ୍ଲାଜାର ମ୍ୟାନେଜର ବିମଳ ଶର୍ମା ସୂଚନା ଦେଇଥିଲେ। ଟୋଲପ୍ଲାଜା ଉଠିଯିବା ପରେ ସ୍ଥାନୀୟ ଜନସାଧାରଣଙ୍କ ସହ ଗାଡି ମାଲିକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
