ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଆଇସିଏଆର-ଏନ୍ଆର୍ଆର୍ଆଇ ମଧ୍ୟରେ ବୁଝାମଣା ପତ୍ର : ସୁଦୃଢ଼ ହେବ ଗବେଷଣା ଭିତ୍ତିଭୂମି
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ କଟକ ସ୍ଥିତ ଆଇସିଏଆର-ନାସନାଲ ରାଇସ ରିସର୍ଚ୍ଚ ଇନ୍ସଟିଚୁଟ (ଏନ୍ଆର୍ଆର୍ଆଇ) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ତରଫରୁ ଏକ ପ୍ରତିନିଧି ଦଳ ଏନ୍ଆର୍ଆର୍ଆଇ ଗସ୍ତ କରି ସେଠାରେ ଉପଲବ୍ଧ ଗବେଷଣା ଭିତ୍ତିଭୂମି ଓ ଗବେଷଣା ଭିତ୍ତିକ ସୁବିଧା ସୁଯୋଗ ପରିଦର୍ଶନ କରିବା ସହ ସମ୍ପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତା ଓ କୃଷି ବୈଜ୍ଞାନିକମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଏହି ବୁଝାମଣାର ବିଭିନ୍ନ ଦିଗ ଉପରେ ଆଲୋଚନା ହେବା ସହ ଉଭୟ ପକ୍ଷର ସହମତି କ୍ରମେ ବୁଝାମଣା ପତ୍ର ଆଦାନ ପ୍ରଦାନ କରାଯାଇଥିଲା ।
ଫକୀର ମୋହନ ବିଶ୍ୱବିଦ୍ୟାଳୟର ଗବେଷଣାର ଭିତ୍ତିଭୂମିକୁ ସୁଦୃଢ଼ କରିବା କ୍ଷେତ୍ରରେ ଏହିପରି ଏକ ବୁଝାମଣା ପତ୍ର ବହୁମାତ୍ରାରେ ସହାୟକ ହେବ ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏଥିସହ ବିଶ୍ୱବିଦ୍ୟାଳୟ ତରଫରୁ ଏନ୍ଆର୍ଆର୍ଆଇର ସମସ୍ତ କର୍ମକର୍ତ୍ତା ଓ କୃଷି ବୈଜ୍ଞାନିକମାନଙ୍କୁ କୁଳପତି ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏନ୍ଆର୍ଆର୍ଆଇର ନିର୍ଦ୍ଦେଶକ ଡ. ପଦ୍ମିନୀ ସ୍ୱାଇଁ ଉକ୍ତ ବୈଠକରେ ସଭାପତିତ୍ୱ କରିବା ସହ ଏହିପରି ବୁଝାମଣାକୁ ଏକ ଐତିହାସିକ ଘଟଣା ବୋଲି ଅବିହିତ କରି ଏହା ଗବେଷଣା କ୍ଷେତ୍ରରେ ଉଭୟ ଅନୁଷ୍ଠାନ ପାଇଁ ଲାଭଦାୟକ ହେବ ବୋଲି ମତ ପୋଷଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ତରଫରୁ କୁଳସଚିବ କୁକୁମିନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, ପ୍ରଫେସର ସୁର୍ଯ୍ୟେନ୍ଦୁ କୁମାର ଦେ, ପ୍ରଫେସର ସବ୍ୟସାଚ୍ଚୀ ପଟ୍ଟନାୟକ. ଡ. ଭାସ୍କର ବେହେରା, ଡ. ଏଲସା ପଣ୍ଡିତ ଓ ଡ. ଅଶେଷ କୁମାର ନାୟକ ଉପସ୍ଥିତ ଥିଲେ । ଏହି ଅବସରରେ କୁଳପତିଙ୍କ ସମେତ ବିଶ୍ୱବିଦ୍ୟାଳୟର ଅନ୍ୟ ସମସ୍ତ ପ୍ରତିନିଧି ଏନ୍ଆର୍ଆର୍ଆଇ ପରିସରରେ ଚାଲୁ ରହିଥିବା ବିଭିନ୍ନ ପ୍ରକାରର କୃଷି ପ୍ରକଳ୍ପ ଗୁଡ଼କୁ ବୁଲି ଦେଖିବା ସହ ସେଠାରେ ଥିବା ଧାନ ଚାଷ ସମ୍ବଦ୍ଧୀୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ ।
