ମହଙ୍ଗା ହେଲା ଅତ୍ୟାବଶ୍ୟକୀୟ ୮୦୦ ପ୍ରକାରର ଔଷଧ, ଜାଣନ୍ତୁ କଣ ସବୁ ସାମିଲ
ନୂଆଦିଲ୍ଲୀ : ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଗୋଟିଏ ପରେ ଗୋଟିଏ ଚଡକ ପଡ଼ିଚାଲିଛି । ପେଟ୍ରୋଲ, ଡିଜେଲ, ସିଏନ୍ଜି, ପିଏନ୍ଜି, ଖୀର ଓ ପନିପରିବାର ମୂଲ୍ୟ ବଢ଼ିବା ପରେ ଏବେ ଅତ୍ୟାବଶ୍ୟକୀୟ ଶ୍ରେଣୀରେ ଥିବା ୮୦୦ ପ୍ରକାରର ଔଷଧ ମହଙ୍ଗା ହୋଇଛି । ଏହିସବୁ ଔଷଧର ଦାମ ୧୦ ପ୍ରତିଶତରୁ ଅଧିକ ବଢ଼ାଇବା ପାଇଁ ସରକାର ପୂର୍ବରୁ ଅନୁମତି ଦେଇସାରିଥିଲେ।ଦେଶର ଔଷଧଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଫାର୍ମାସୁଟିକଲ ପ୍ରାଇସିଂ ଅଥୋରିଟି (ଏନପିପିଏ) ଏହି ଔଷଧଗୁଡ଼ିକର ମୂଲ୍ୟ ବୃଦ୍ଧି କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଛି। ହୋଲ୍ସେଲ ମୂଲ୍ୟ ୧୦.୭ ପ୍ରତିଶତ ବଢ଼ାଇବାକୁ କମ୍ପାନୀମାନଙ୍କୁ ସବୁଜ ସଂକେତ ମିଳିଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟର ଆର୍ଥିକ ଉପଦେଷ୍ଟା କାର୍ଯ୍ୟାଳୟ ପକ୍ଷରୁ ହୋଲ୍ସେଲ ମୂଲ୍ୟ ବୃଦ୍ଧିର ତଥ୍ୟ ଆଧାରର ଏମିତି କରାଯାଇଛି। ଏହି ତଥ୍ୟରେ ହୋଲ୍ସେଲ୍ ମୂଲ୍ୟରେ ୨୦୨୦ ତୁଳନାରେ ୨୦୨୧ରେ ୧୦.୦୭ ପ୍ରତିଶତ ମୂଲ୍ୟ ପରିବର୍ତ୍ତନ ହୋଇଛି।
ମୂଲ୍ୟ ବୃଦ୍ଧି ହୋଇଥିବା ଔଷଧଗୁଡ଼ିକ ଭିତରେ, ଜ୍ୱର ଔଷଧ, ଚର୍ମ ସଂକ୍ରମଣ ଔଷଧ, ରକ୍ତ ଚାପ, ହୃଦ୍ରୋଗ ଭଳି ତମାମ ରୋଗର ଆବଶ୍ୟକୀୟ ଔଷଧ ସାମିଲ ରହିଛି। ଏଥିରେ ପାରାସିଟାମଲ, ଏଜିଥ୍ରୋମାଇସିନ୍, ଭିଟାମିନ ସି ଔଷଧ, ଇନ୍ସୁଲିନ ଇଞ୍ଜେକ୍ସନ, ଓରଲ ସଲ୍ଟ, ମଲ୍ଟିଭିଟାମିନ ଟାବ୍ଲେଟ, ସିପ୍ରୋଫ୍ଲକ୍ସିନ, ହାଇଡ୍ରୋକ୍ଲୋରାଇଡ୍, ମେଟ୍ରୋନିଡେଜୋଲ, ଫେନୋବାବ୍ରିଟୋନ, ଫେନିଟୋଇନ ସୋଡିୟମ, ହାଇଡ୍ରୋକ୍ଲୋରାଇଡ, କଣ୍ଡୋମ ଆଦିର ମୂଲ୍ୟ ବୃଦ୍ଧି ହୋଇଛି।
