ଦିନକରେ କୋଟିଏରୁ ଅଧିକ ଟିକାକରଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ମହାମାରୀ କରୋନାର ମୁକାବିଲା ପାଇଁ ଭାରତର ଉଦ୍ୟମ ଜାରି ରହିଛି । ଦେଶରେ ଗତ ଜାନୁଆରୀ ୧୬ ତାରିଖ ଠାରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ବିଶ୍ୱର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତ ଟିକାକରଣ କ୍ଷେତ୍ରରେ ଅନନ୍ୟ ରେକର୍ଡ ହାସଲ କରିଛି । ଶୁକ୍ରବାର ଗୋଟିଏ ଦିନରେ କୋଟିଏରୁ ଅଧିକ ଲୋକ କୋଭିଡ ଟିକା ନେଇଛି । ଭାରତରେ ଗତକାଲି ଯେତିକି ଲୋକ ଟିକା ନେଇଛନ୍ତି, ତାହା ସୁଇଜରଲ୍ୟାଣ୍ଡର ମୋଟ ଲୋକ ସଂଖ୍ୟା ଠାରୁ ଅଧିକ । ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ଵିଟ୍ କରି ଏହାର ସୂଚନା ଦେବା ପରେ ଏହାର ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୧୭ରେ ଦେଶରେ ସର୍ବାଧିକ ୮୮ ଲକ୍ଷ ଲୋକ ଟିକା ନେଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଶୁକ୍ରବାର ଉତ୍ତରପ୍ରଦେଶରେ ୨୮ ଲକ୍ଷ ୬୨ ହଜାର ୬୪୯ କର୍ଣ୍ଣାଟକରେ ୧୦ ଲକ୍ଷ ୭୯ ହଜାର ୫୮୮ ଓ ମହାରାଷ୍ଟ୍ରରେ ୯ ଲକ୍ଷ ୮୪ ହଜାର ୧୧୭ ଲୋକ କରୋନା ଟିକା ନେଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୬୦ କୋଟିରୁ ଅଧିକ ଲୋକ କରୋନା ଟିକା ନେଇସାରିଛନ୍ତି । ଏଥିରେ ପ୍ରାୟ ୧୪ କୋଟି ଲୋକ ଉଭୟ ଡୋଜର ଟିକା ନେଇଛନ୍ତି । ଏହିଭଳି ଦେଶର ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ଟିକାକରଣ ହୋଇସାରିଛି ।
ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ଆଜି (ଶୁକ୍ରବାର, ଅଗଷ୍ଟ ୨୭, ୨୦୨୧) ରେକର୍ଡ ପରିମାଣରେ ଟିକାକରଣ ହୋଇଛି । କୋଟିଏରୁ ଅଧିକ ଲୋକଙ୍କୁ ଟିକା ଦିଆଯିବା ନିଶ୍ଚିତ ଭାବରେ ଖୁସିର ଖବର । ଟିକା ନେଇଥିବା ଏବଂ ଏହି କାମରେ ନିୟୋଜିତ ଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଉଛି ।
ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ଵିଟ୍ କରିଛନ୍ତି ଯେ, ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସ, ସବକା ପ୍ରୟାସ। ଏହା ହେଉଛି ସେହି ପ୍ରୟାସ ଯେଉଁଥିରେ ଦେଶରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଲୋକ କରୋନା ଟିକା ଦେଇ ରେକର୍ଡ କରିଛନ୍ତି। ସ୍ଵାସ୍ଥ୍ୟକର୍ମୀଙ୍କ ଅକଥନୀୟ ପରିଶ୍ରମ ଓ ପ୍ରଧାନମନ୍ତ୍ରୀଙ୍କ ସମସ୍ତଙ୍କୁ ମାଗଣାରେ ଭ୍ୟାକ୍ସିନ ଦେବାର ଦୃଢ ସଙ୍କଳ୍ପ କାର୍ଯ୍ୟରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉପଲବ୍ଧିରେ ଖୁସି ପ୍ରକାଶ କରି କହିଛନ୍ତି, ଆଜି ରେକର୍ଡ ଟିକାକରଣ ! ଏକ କୋଟି ଅତିକ୍ରମ କରିବା ଏକ ମହତ୍ଵପୂର୍ଣ୍ଣ ଉପଲବ୍ଧି। ଟିକା ନେଇଥିବା ଏବଂ ଅଭିଯାନକୁ ସଫଳ କରୁଥିବା ଲୋକଙ୍କୁ ଅଭିନନ୍ଦନ।
