୧୮୦ କୋଟିରୁ ଅଧିକ ଟିକାକରଣ, ମାଇଲ ଖୁଣ୍ଟ ଅତିକ୍ରମ କଲା ଭାରତ
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫ ହଜାର ତଳକୁ ଖସିଛି । ଅନ୍ୟପକ୍ଷରେ ଟିକାକରଣ ଗ୍ରାଫ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଭାରତରେ ଗତ ବର୍ଷରୁ ଜାରି ଥିବା ରାଷ୍ଟ୍ରବ୍ୟାପୀ ଟିକାକରଣରେ ଏବେ ୧୮୦ କୋଟିରୁ ଅଧିକ ଡୋଜ ଦିଆଯାଇଛି ।
ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ ଭ୍ୟାକ୍ସିନେସନର ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶ ଭ୍ୟାକ୍ସିନେସନରେ ମାଇଲ ଖୁଣ୍ଟ ଅତିକ୍ରମ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇ କହିଛନ୍ତି, ଦେଶରେ କରୋନା ଟିକାର ୧୮୦ କୋଟି ଡୋଜ ଦିଆସରିଛି।
ଦେଶବ୍ୟାପୀ ସଫଳତାର ସହ ଟିକାରଣ ଅଭିଯାନ ଆଗେଇ ଚାଲିଛି। ଏପର୍ଯ୍ୟନ୍ତ ୧୮୦ କୋଟି ୩ ଲକ୍ଷ ୭୧ ହଜାରରୁ ଅଧିକ ପାନ କରୋନା ଟିକା ଦିଆଯାଇ ସାରିଲାଣି। ୯୬ କୋଟି ୮୬ ଲକ୍ଷ ୯୯ ହଜାରରୁ ଅଧିକ ପ୍ରଥମ ପାନ ଏବଂ ୮୧ କୋଟି ୧୬ ଲକ୍ଷ ୮୩ ହଜାରରୁ ଅଧିକ ଦ୍ୱିତୀୟ ପାନ ଟିକା ଦିଆଯାଇଛି। ୧ କୋଟି ୯୯ ଲକ୍ଷ ୮୮ହଜାରରୁ ଅଧିକ ପ୍ରତିଷେଧାତ୍ମକ ପାନ(ବୁଷ୍ଟର ଡୋଜ) ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏଥିପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବର ସର୍ବ ବୃହତ ଟିକାକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ନୂତନ ଶିଖର ଛୁଇଁବାକୁ ଯାଉଛି ବୋଲି କହିଛନ୍ତି।
