ସରିଲା ଧର୍ମର ମାସ କାର୍ତ୍ତିକ, ମାସକ ପରେ ପାଟିରେ ବାଜିବ ଆମିଷ
ଭୁବନେଶ୍ୱର : ସରିଲା ଧର୍ମର ମାସ କାର୍ତ୍ତିକ ତଥା ପଞ୍ଚୁକ । ଆଜି ଛାଡ ଖାଇ । ମାସକ ଯାକ ନିରାମିଷ ଖାଇବା ପରେ ଆଜି ପାଟିରେ ବାଜିବ ଆମିଷ । କାର୍ତ୍ତିକ ମାସ ଯାକ ହବିଷ ଖାଇଥିବା ଲୋକେ ଆଜି ଛାଡ଼ଖାଇ ପାଳନ କରିବେ । ମାସେ ଯାଏଁ ମାଛ ମାଂସ ଖାଇନଥିବାରୁ ଆଜି ସ୍ୱତନ୍ତ୍ର ଭାବେ ଆମିଷ ଭୋଜନ ହେବ । ସେହିପରି ଆଜି ବୁଧବାର ହୋଇଥିବାରୁ ଆମିଷ ବଜାରରେ ନାହିଁ ନଥିବା ଗହଳି । ଏଥିପାଇଁ ମାଛ, ଚିକେନ୍ ଓ ମଟନ୍ ଦୋକାନ ଆଗରେ ଲମ୍ବା ଲାଇନ୍ । ଗ୍ରାହକଙ୍କ ଭିଡ଼ ସାଙ୍ଗକୁ ଦର ବି ରହିଛି ଚଢ଼ା । ତଥାପି ଦରକୁ ନେଇ ଟେନସନ ନାହିଁ, ଯାହାର ଯେତେ ଇଚ୍ଛା ବୋହି ନେଉଛନ୍ତି ।
ଦର କଥା କିଏ ପଚାରୁଛି । ବେପାରୀ ପାଟିରୁ ଯାହା ବାହାରିଲା ଧରେଇ ଦେଇ ଘରକୁ ବୋହି ନେଉଛନ୍ତି । ନେବେ ନାହିଁ କାହିଁକି ବା ଏତେ ଦିନ ପରେ ପାଟିରେ ବାଜିବ ଆମିଷ ସ୍ବାଦ । ପଞ୍ଚୁକରେ କିଛି ଲୋକ ସ୍ବଇଚ୍ଛାରେ ଆମିଷ ଛାଡ଼ିଥିବା ବେଳେ କିଛି ଲୋକ ପରିବାରର ଅନ୍ୟ ସଦସ୍ୟଙ୍କୁ ସମ୍ମାନ ଜଣାଇ ଆମିଷ ଖାଇ ନଥିଲେ । ନିରାମିଷ ଖାଇ ଖାଇ ଅରୁଚି ହୋଇଯାଇଥିଲା । ଏବେ ତ ପଞ୍ଚୁକ ସରିଛି, ଏତେ ଦିନ ପରେ ପାଟିରେ ବାଜିବ ଆମିଷ ।
ସେଥିପାଇଁ ପ୍ରତିଦିନ ତୁଳନାରେ ଆଜି ଦୋକାନୀମାନେ ଅଧିକ ମାଛ ଗଦାଇଛନ୍ତି । ରେଟ ବି ଚଢ଼ା ରହିଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି । ଭାକୁଡ଼ ୩୦୦ରୁ ୩୨୦ରେ ବିକ୍ରି ହେଉଥିବା ବେଳେ ରୋହି ୨୮୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ଇଲିସ ଓ ଚାନ୍ଦିର ଦର ୧ ହଜାର ପାର କରିଯାଇଛି । ଭେକଟି ଦର ବି ଚଢ଼ା ରହିଛି । କେଜି ପ୍ରତି ୫୦୦ରୁ ୬୦୦ ଟଙ୍କାରେ ବିକ୍ରି ହେଉଛି ଭେକଟି । ଚିଙ୍ଗୁଡିର ଡିମାଣ୍ଡ ବି ବହୁତ ଅଧିକ ରହିଛି । ୨୫୦ରୁ ୩୦୦ ଟଙ୍କା କେଜିରେ ବିକ୍ରି ହେଉଥିବା ଛୋଟ ଚିଙ୍ଗୁଡ଼ି ୫୦୦ ଟଙ୍କାରେ ବିକ୍ରି ହେଉଛି । ଆଉ ବଡ଼ ସାଇଜ କଥା କିଏ ପଚାରେ । ଟିକେ ବଡ଼ ସାଇଜର ଚିଙ୍ଗୁଡ଼ି କେଉଁଠି ୭୦୦ରୁ ୮୦୦ କେଜିରେ ବିକ୍ରି ହେଉଛି ତ ଆଉ କେଉଁଠି ୧୦୦୦ ପାର କରିଯାଇଛି । ପ୍ରତିଦିନ ତୁଳନାରେ ଆଜି କଙ୍କଡାର ବି ଭଲ ଡିମାଣ୍ଡ ରହିଛି । ବଡ଼ ସାଇଜ୍ କଙ୍କଡା କେଜି ପ୍ରତି ୭୦୦ରୁ ୮୦୦ ଟଙ୍କା ହୋଇଥିଲେ ବି ଲୋକ ବୋହି ନେଉଥିବା ଦେଖିବାକୁ ମିଳୁଛି ।
ସେହିପରି ମାଂସ ଦୋକାନରେ ବି ଲୋକଙ୍କ ଗହଳି ଦେଖିବାକୁ ମିଳୁଛି । ଚିକେନ୍ ଦର ୨୫୦ରୁ ୨୮୦ ରହିଛି । ଖାସି ମାଂସ ଦର ବି ସାଧାରଣ ଦିନଠାରୁ ଅଧିକ ରହିଛି । ୭୦୦ରୁ ୭୫୦ କେଜିରେ ବିକ୍ରି ହେଉଥିବା ଖାସି ମାଂସ ଦର ଆଜି ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।
