ମାଙ୍କଡା ଚୋରା ଚଲାଣକାରୀ ସକ୍ରୀୟ,କୋଟି କୋଟି ଟଙ୍କାର ରାଜସ୍ୱ ହାନୀ
ଖଇରା : ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ୱ କ୍ଷେତ୍ରରେ ବନ୍ଦ ପଡିଥିବା ମାଙ୍କଡା ଖଣି ଏବଂ କ୍ରସର ପୁଣିଏବେ ଚାଲିବାକୁ ଆରମ୍ଭ କଲାଣି । କିଛି ମାସ ବନ୍ଦ ପଡିବା ପରେ ଏବେ ମାଙ୍କଡା ପଥର ଚୋରା ଚଲାଣକାରୀ ସକ୍ରୀୟ ହୋଇ ପଡିଛନ୍ତି । ସନ୍ଧ୍ୟା ହେବା ମାତ୍ରେ ଟ୍ରିପ ଟ୍ରିପ ମାଙ୍କଡା ବୋଝେଇ ଟ୍ରକ ଓ ଟ୍ରାକ୍ଟର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବାର ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ,ରାଜ୍ୟ ଖଣି ବିଭାଗ ମନ୍ତ୍ରୀ ଓ ସଚୀବ,ବାଲେଶ୍ୱର ଜିଲାପାଳ ଏଥିପ୍ରତି ଦୃଷ୍ଟି ନଦେଲେ ସମଗ୍ର କୁପାରୀ ଶ୍ମସାନ ପାଲଟିବ ବୋଲି ଗ୍ରାମବାସୀ ମାନେ କହିିଛନ୍ତି । ଉପରୋକ୍ତ ୨ ରାଜସ୍ୱ କ୍ଷେତ୍ର ଅଧୀନ ମାଟିତଳେ ଭରପୁର ମାଙ୍କଡା ପଥର ଗଛିତ ରହିଛି । ରାଜସ୍ୱ ବିଭାଗ ସରକାରୀ ଭାବେ ନିଲାମ ଦେଉନଥିବା ବେଳେ ଚୋରାଚାଲାଣକାରୀ ମାନେ ରାଜସ୍ୱ ବିଭାଗ ଓ ଖଇରା ଥାନାର କିଛି କର୍ମଚାରୀଙ୍କୁ ପକେଟରେ ରଖି ଅହରହ ଖଣି ଖୋଳି ଚାଲିଛନ୍ତି । ବର୍ତ୍ତମାନ ବରପଦାରେ ୩ଟି,କଳମଚୁଆରେ ୨ଟି,ରଣପୁରରେ ୩ଟି,ହରିପୁରରେ ୪ଟି,କୁପାରୀ ସରକାରୀ ମଦ ଦୋକାନ ପଛ ପଟେ ଗୋଟିଏ ଖଣି ଚାଲୁଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ରାତି ତମାମ ପାୱାର ଟିଲର ଗର୍ଜନରେ ଗ୍ରାମବାସୀ ମାନଙ୍କୁ ରାତିରେ ଶୋଇବା ମୁସ୍କିଲ ହୋଇ ପଡୁଛି । ପୁର୍ବରୁ ଏହିଭଳି କିଛି ଜଳଭର୍ତ୍ତୀ ପରିତ୍ୟକ୍ତ ମାଙ୍କଡା ଖଣି ପାଣିରେ ପଡି ୫ବର୍ଷରେ ୧୦ଜଣରୁ ଉର୍ଦ୍ଧ ବୟସ୍କ ଓ ଶିଶୁ,୫୦ରୁ ଉର୍ଦ୍ଧର୍ ଗୃହପାଳିତ ପଶୁ ଓ ହରିଣ ଭଳି ବନ୍ୟପ୍ରାଣି ପ୍ରାଣ ହରାଇ ସାରିଥିବା ବେଳେ ଏବେ ପୁଣି ଥରେ ସୃଷ୍ଟି କରାଯାଉଥିବା ସେହିଭଳି ଗର୍ତ୍ତ ମଣିଷ ପଶୁଙ୍କ ପାଇଁ ମୃତ୍ୟୁଜନ୍ତା ସାଜିଛି । ସେହିଭଳି ଏହି ୨ରାଜସ୍ୱ କ୍ଷେତ୍ର ଅଧୀନରେ ବନ୍ଦ ପଡିଥିବା କ୍ରସର ଗୁଡିକ ରିତିମତ ଚାଲୁଥିବା ବେଳେ ଏଥିରେ ଶାରିଶୁଆ ପାହାଡରୁ ରାତିରେ ପଥର ଅଣାଯାଇ ବ୍ୟବହୃତ କରାଯାଉଥିବାର କଦଳିଗଡିଆ,ବଗେଇପୁର, ସାନନୁଆଗାଁ,କଇଥଗଡିଆ,ବରପଦା ଗ୍ରାମର ଅଧିବାସୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନୀ ଧଳଙ୍କୁ ଯୋଗାଯୋଗ କରିବାରେ ସେ ରାତିରେ ଚଢାଉପାଇଁ ଖଣି ଅଞ୍ଚଳରେ ପହଞ୍ଚିବା ପୁର୍ବରୁ ଖଣିବ୍ୟବହାରକାରୀ ମାନେ ଅନ୍ଧାରରେ ଲୁଚି ଯାଉଥିବା ବେଳେ ତହସିଲଦାର ଛୁଟିରୁ ଫେରିଲେ ଚଢାଉକୁ ଜୋରଦାର କରାଯିବା ବୋଲି କହିଛନ୍ତି । ଫଟୋ-ଖଇରା୧-ଏକ ମାଙ୍କଡା ପଥର ଖଣିରୁ ପଥର ଉତ୍ତୋଳନ କରି ରଖାଯାଇଛି ।
