ମଙ୍କଡିଂ ଆଉଟ୍ ଶୋଭନୀୟ ନୁହେଁ : ରୋହିତ
ବ୍ରିସ୍ବେନ୍ : ମଙ୍କଡିଂ ଆଉଟ୍କୁ ନାପସନ୍ଦ କଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ମତରେ ମଙ୍କଡିଂ ଆଉଟ୍ ଶୋଭନୀୟ ନୁହେଁ। ମ୍ୟାଚ୍ର ଫଳାଫଳ ଯାହା ପକ୍ଷକୁ ଯାଉନା କାହିଁକି ଏଭଳି ଆଉଟ୍ ପସନ୍ଦଯୋଗ୍ୟ ନୁହେଁ ବୋଲି କହିଥିଲେ।
ଗତ ଇଂଲଣ୍ଡ ବିପକ୍ଷ ମହିଳା ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଅବସରରେ ଭାରତୀୟ ଅଲ୍ରାଉଣ୍ଡର ଦୀପ୍ତି ଶର୍ମା ଇଂଲଣ୍ଡ ବ୍ୟାଟର୍ ଚାର୍ଲି ଡିନ୍ଙ୍କୁ ମଙ୍କଡିଂ ଆଉଟ୍ କରିବାରୁ ଭାରତ ଶୃଙ୍ଖଳା ଜିତିନେଇଥିଲା। ତେବେ ଏହି ଆଉଟ୍କୁ ନେଇ ବିବାଦୀୟ ସ୍ଥିତି ଉପୁଜିଥିଲା। ଅଧିକାଂଶ ଏଭଳି ଆଉଟ୍ ଆଇସିସି ନିୟମ ପରିସରଭୁକ୍ତ ଏବଂ ଏହା କ୍ରିକେଟ୍ର ଅଂଶବିଶେଷ କହି ସମର୍ଥନ କରିଥିଲା ବେଳେ ଅନ୍ୟ କେତେକ ଏହାକୁ ସମାଲୋଚନା କରିଥିଲେ।
ଏହା ପୂର୍ବରୁ ଗତ ଆଇପିଏଲ୍ ସଂସ୍କରଣ ବେଳେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମ୍ୟାଚ୍ରେ ଭାରତର ରବିଚନ୍ଦ୍ରନ୍ ଅଶ୍ବିନ୍ ମଧ୍ୟ ଏଭଳି ଆଉଟ୍ କରିଥିଲେ ଇଂଲଣ୍ଡ ତାରକା ଜୋସ୍ ବଟଲର୍ଙ୍କୁ। ବାସ୍ତବରେ ଏଭଳି ଆଉଟ୍ କେତେ ଯଥାର୍ଥ ତାହାକୁ ନେଇ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ବକପ୍ ପୂର୍ବରୁ ପୂର୍ବରୁ ଅଂଶଗ୍ରହଣ କରିଥିବା ୧୬ ଦଳର ଅଧିନାୟକଙ୍କୁ ସାମ୍ବାଦିକମାନେ ପ୍ରଶ୍ନ ପଚାରିଥିଲେ। ବିବାଦୀୟ ମଙ୍କଡିଂ ଆଉଟ୍କୁ କେଉଁମାନେ ସମର୍ଥନ କରୁଛନ୍ତି ହାତ ଟେକିବା ପାଇଁ ଜଣେ ଗଣମାଧ୍ୟମ ପ୍ରତିନିଧି କହିଥିଲେ। ହେଲେ କେହି ବି ଅଧିନାୟକ ହାତ ଉଠାଇନଥିଲେ ଏବଂ ବିଶ୍ବକପ୍ରେ ଏଭଳି ନକରିବାକୁ ସମର୍ଥନ କରିଥିଲେ। ଏଭଳି ଆଉଟ୍ ଆଇସିସି ଦ୍ବାରା ଆଇନସିଦ୍ଧ ଏବଂ ନିୟମ ଅନ୍ତର୍ଗତ ସତ୍ତ୍ବେ କ୍ରିକେଟ୍ ଭାବନା ଦୃଷ୍ଟିକୋଣରୁ ଏହା ଶୋଭନୀୟ ନୁହେଁ ବୋଲି ଅଧିକାଂଶ ଅଧିନାୟକ ମତ ରଖିଥିଲେ। ଦଳମାନେ ସେମାନଙ୍କ ମ୍ୟାଚ୍ ଯୋଜନାରେ ଏଭଳି ଅଭ୍ୟାସ ନରଖିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ବିଶେଷକରି ମଙ୍କଡିଂ ଆଉଟ୍ରେ ଦୁଇ ଜଣ ଭାରତୀୟଙ୍କ ସଂପୃକ୍ତି ରହିଥିଲେ ମଧ୍ୟ ବିଶ୍ବକପ୍ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହାକୁ ନାପସନ୍ଦ କରିଥିଲେ।
