ପ୍ରଥମ ଭାରତୀୟ ଭାବେ କମ୍ ଦିନିକିଆରେ ୧୫୦ ଉଇକେଟ୍ର ରେକର୍ଡ଼ କଲେ ଶାମି
ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିଜୟ ହାସଲ କରିଛି ଭାରତ । ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି କମାଲ କରିବା ସହ ଏହି ବିଜୟର ଶ୍ରେୟ ନେଇଛନ୍ତି । ବୁମ୍ରା ୬ଟି ୱିକେଟ ନେଇଥିବା ବେଳେ ଶାମି ୩ଟି ସଫଳତା ପାଇଛନ୍ତି । ଉଭୟଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ପ୍ରଥମ ଦିନିକିଆରେ ୧୧୦ ରନରେ ଅଲଆଉଟ ହୋଇଯାଇଛି ।
ତେବେ ଶାମି ଆଜିର ମ୍ୟାଚ୍ରେ ନିଜ ଦିନିକିଆ କ୍ୟାରିୟର୍ରେ ୧୫୦ତମ ୱିକେଟ ଦଖଲ କରିଛନ୍ତି । ସେ ପ୍ରଥମେ ବେନ ଷ୍ଟୋକ୍ସଙ୍କୁ ଆଉଟ କରିଥିଲେ । ଏହାପରେ ଇଂଲିଶ ଟିମ୍ ଅଧିନାୟକ ଜୋଶ ବଟଲରଙ୍କୁ ଆଉଟ କରି ନିଜ କ୍ୟାରିୟରର ୧୫୦ତମ ୱିକେଟ ଦଖଲ କରିଛନ୍ତି । ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ କ୍ରେଗ ଓଭରଟନ ମଧ୍ୟ ଶାମିଙ୍କ ଶିକାର ବନିଛନ୍ତି । ଏବେ ଦିନିକିଆରେ ଶାମିଙ୍କ ୱିକେଟ ସଂଖ୍ୟା ୧୫୧ରେ ପହଂଚି ଯାଇଛି । ଶାମି ୧୫୦ତମ ୱିକେଟ ଦଖଲ କରିବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ସବୁଠାରୁ କମ ଦିନିକିଆରେ ୧୫୦ କିମ୍ବା ତା’ ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ଅଜିତ ଅଗରକରଙ୍କ ନାଁରେ ଥିଲା । ଅଗରକର ୯୭ଟି ଦିନିକିଆରେ ୧୫୦ତମ ୱିକେଟ ହାସଲ କରିଥିଲେ । ହେଲେ ୩୧ ବର୍ଷୀୟ ଶାମି ୮୦ଟି ମ୍ୟାଚ୍ରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏହାବାଦ ଶାମି ଆଫଗାନ ସ୍ପିନର ରଶିଦ ଖାନଙ୍କ ସମକକ୍ଷ ହୋଇଛନ୍ତି । ଉଭୟ ତୃତୀୟ ଦ୍ରୁତତମ ବୋଲର ଭାବେ ୧୫୦ ୱିକେଟ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି । ଏହି ତାଲିକାର ୧ନଂ ସ୍ଥାନରେ ଅଷ୍ଟ୍ରେଲିଆ ମିଚେଲ ଷ୍ଟାର୍କ(୭୭ଟି ମ୍ୟାଚ୍) ଓ ଦ୍ୱିତୀୟରେ ପାକିସ୍ତାନର ସାକିଲନ ମୁସ୍ତାକ(୭୮ ମ୍ୟାଚ୍) ରହିଛନ୍ତି ।
