ଜେଲେନସ୍କିଙ୍କ ସହ କଥା ହେଲେ ମୋଦି, ଭାରତୀୟଙ୍କୁ ସ୍ଥାନାନ୍ତରରେ ସହାୟତା ପାଇଁ ଜଣାଇଲେ ଧନ୍ୟବାଦ
କିଭ୍ : ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁକ୍ରେନ ସ୍ଥିତି ନେଇ ଫୋନରେ ୩୫ ମିନିଟ ଧରି କଥା ହୋଇଛନ୍ତି। ୟୁକ୍ରେନରୁ ଭାରତୀୟଙ୍କୁ ସ୍ଥାନାନ୍ତର କରିବାରେ ୟୁକ୍ରେନ ସରକାରଙ୍କ ସହାୟତା ପାଇଁ ମୋଦି ଧନ୍ୟବାଦ ଜଣାଇଛନ୍ତି। ସେହିପରି ସୁମିରୁ ଉଦ୍ଧାର ପାଇଁ ଚାଲିଥିବା ଉଦ୍ୟମରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଠାରୁ ସହାୟତା ଲୋଡିଛନ୍ତି। ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ କଥାବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ସୂଚନା ଯେ, ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଭାରତର ସହଯୋଗ ଲୋଡ଼ି ତୁରନ୍ତ ରାଷ୍ଟ୍ରପତି ଜେଲେନ୍ସ୍କି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିଥିଲେ। ଏ ବିଷୟରେ ଟୁଇଟ୍ କରି ଜେଲେନ୍ସ୍କି ଲେଖିଥିଲେ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହେଲି। ୟୁକ୍ରେନର ରୁଷୀୟ ଆକ୍ରମଣ ମୁକାବିଲା ଧାରା ସଂକ୍ରାନ୍ତରେ ସୂଚନା ଦେଲି। ଆମ ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ବ ଆକ୍ରମଣକାରୀ ପ୍ରବେଶ କରିଛନ୍ତି। ସେମାନେ ଧୀରେ ଧୀରେ କିନ୍ତୁ, ମାରାତ୍ମକ ଭାବେ ଆବାସିକ କୋଠାବାଡ଼ି ଉପରକୁ ଗୁଳିଗୋଳା ବର୍ଷଣ କରୁଛନ୍ତି। ଜାତିସଂଘ ନିରାପତ୍ତା ପରିଷଦ୍ରେ ରାଜନୈତିକ ସମର୍ଥନ ଦେବାକୁ ଭାରତକୁ ଅନୁରୋଧ କରିଛି। ସମ୍ମିଳିତ ଭାବେ ଆକ୍ରମଣକାରୀକୁ ପ୍ରତିରୋଧ କରାଯାଉ। ଭାରତ କିନ୍ତୁ, ରୁଷ୍ କିମ୍ବା ୟୁକ୍ରେନ୍ର ପକ୍ଷ ନେଇ ନାହିଁ କି, ବିରୋଧ କରିନାହିଁ। ଭାରତ ବାରମ୍ବାର କହିଥିଲା ଯେ, ଯୁଦ୍ଧାଞ୍ଚଳରେ ଫସି ରହିଥିବା ଭାରତୀୟମାନଙ୍କ ନିରାପଦ ସ୍ଥାନାନ୍ତରଣ ଉପରେ ଧ୍ୟାନ ଦେଉଛି। ଏହାଛଡ଼ା, ସାମ୍ପ୍ରତିକ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରୁଷ୍ ଓ ୟୁକ୍ରେନ୍କୁ ଭାରତ କହିଛି।
