ମନରେଗା କାମକୁ ନେଇ ବୋମାମାଡ଼ : ୨ ଆହତ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ପଣିବନ୍ଧ ଗ୍ରାମରେ ଆଜି ସକାଳେ ମନରେଗା କାମକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ଏହାକୁ ନେଇ ବୋମାମାଡ଼ ହୋଇଥିଲା । ଏଥିରେ ଟୁକୁନା ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ଭର୍ତି କରାଯାଇଛି । ଅନ୍ୟ ଜଣେ ସାମାନ୍ୟ ଆହତ ହୋଇ ଧରାକୋଟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।
ସୂଚନା ଯେ, ଗତକାଲି ମନରେଗା ଟଙ୍କା ବଣ୍ଟନକୁ ନେଇ ଟୁକୁନାଙ୍କ ସହ ଭୋଳା ଓ ସନାତନଙ୍କର ବଚସା ହୋଇଥିଲା। ଏନେଇ ଟୁକୁନାଙ୍କ ଉପରେ ଉଭୟଙ୍କର ରାଗ ଥିଲା। ଆଜି ଟୁକୁନା ବଜାର ଯାଉଥିବା ବେଳେ ଭୋଲା ଓ ସନାତନ ମୁଖ୍ୟ ରାସ୍ତା କଡରେ ବୋମାମାଡ଼ କରିଥିଲେ। ଏଥିରେ ଟୁକୁନା ସହ ଭୋଳା ମଧ୍ୟ ଆହତ ହୋଇଥିଲେ। ହେଲେ ସନାତନଙ୍କର କିଛି ହୋଇ ନଥିଲା। ପ୍ରଥମେ ଉଭୟଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଟୁକୁନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
