ମହାନତା ଦେଖାଇଲେ ବିଧାୟକ, ଦୁର୍ଘଟଣାଗ୍ରସ୍ତଙ୍କୁ ପହଞ୍ଚାଇଲେ ଡାକ୍ତରଖାନା
ବରଗଡ଼ : ଆଜିବି ବଞ୍ଚିଛି ମଣିଷ । ପଣିଆ ମହାନତା ଦେଖାଇଲେ ବିଧାୟକ। ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପହଞ୍ଚାଇଲେ ଭଟଲୀ ବିଧାୟକ ସୁଶାନ୍ତ ସିଂ ।
ସୂଚନା ଯେ, ଭଟଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ନିକଟ ଲେଖାପଥର ରାସ୍ତାରେ ଭାରସାମ୍ୟ ହାରାଇ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇ ରାସ୍ତାରେ ପଡିରହିଥିଲେ । ସେହି ସମୟରେ ଉକ୍ତ ରାସ୍ତା ଦେଇ କୌଣସି କାର୍ଯ୍ୟରେ ବିଧାୟକ ସୁଶାନ୍ତ ସିଂ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଖବରପାଇ ସଙ୍ଗେ ସଙ୍ଗେ ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝିବା ସହ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ସୋହେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ସହ ଚିକିତ୍ସା ବାବଦରେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଖବର ନେବାରୁ ବ୍ୟକ୍ତି ଜଣକ ସ୍ଥାନୀୟ କରାଲମାଲ ଗାଁର ଭଜମନ ବିଶି ବୋଲି ଜଣାପଡିଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ସେ ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାଗ୍ରସ୍ତକୁ ଉଦ୍ଧାର କରୁଥିବା ଫଟୋଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସୁଶାନ୍ତ ସିଂଙ୍କ ବ୍ୟକ୍ତିତ୍ବ ତାଙ୍କ କର୍ମନିଷ୍ଠା ଉପରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।
