ବିଧାୟକ ପ୍ରଶାନ୍ତ ଜଗଦେବ ଅସୁସ୍ଥ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ବାଣପୁର : ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବାଣପୁର ଉପକାରାଗାରରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି । ହଠାତ୍ ଅସୁସ୍ଥ ହେବାରୁ ପ୍ରଶାନ୍ତ ଜଗଦେବଙ୍କୁ ଗତ ରାତି ୧୨ଟା ୨୦ ମିନିଟ୍ ସମୟରେ ବାଣପୁର ଉପକାରାଗାରରୁ ଅଣାଯାଇଥିଲା । ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି ।
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି କର୍ମୀମାନଙ୍କର ଏକ ଶୋଭାଯାତ୍ରା ଚାଲିଥିବା ସମୟରେ ତାଙ୍କ ଚାରିଚକିଆ ଗାଡ଼ିକୁ ଭିଡ଼ ଭିତରକୁ ପୁରାଇ ଦେଇଥିଲେ । ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଥିଲେ । ତେବେ ଏହି ଘଟଣା ପରେ ଉତ୍ତ୍ୟକ୍ତ ଜନତା ବିଧାୟକ ଶ୍ରୀ ଜଗଦେବଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସର୍ବସାଧାରଣଙ୍କ ଦ୍ୱାରା ନିସ୍ତୁକ ମାଡ଼ ଖାଇବା ପରେ ବିଧାୟକ ଲହୁଲୁହାଣ ହୋଇଯାଇଥିଲେ । ତାଙ୍କୁ ମଧ୍ୟ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଲୋକେ ତାଙ୍କ ଗାଡ଼ିକୁ ବାଡ଼େଇ ଭାଙ୍ଗିଦେଇଥିଲେ । ପ୍ରଶାନ୍ତ ଗତ ୨୨ ତାରିଖ ଅପରାହ୍ନରେ ହସ୍ପିଟାଲରୁ ବାହାରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା ।
ବାଣପୁର ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମାରପିଟ୍ ଘଟଣାରେ ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବ୍ଲକ ସଭାପତି ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ ବାଣପୁର ବ୍ଲକ ପରିସ୍ତରରେ ନିସ୍ତୁକ ମାଡ଼ ମାରିଥିଲେ । ପୁଲିସ ଏହି ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଛି । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓଙ୍କ ନେତୃତ୍ୱରେ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ପୁଲିସ ନିଳାଦ୍ରୀପ୍ରସାଦ ବାଙ୍କଡାଘର ନିକଟ ଜଙ୍ଗଲରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ।
