ଶ୍ରୀମନ୍ଦିର ସ୍ନାନମଣ୍ଡପ ବ୍ୟାରିକେଡ଼ ରେଲିଂ ଭିତରେ ଫସିଲା ନାବାଳିକାଙ୍କ ମୁଣ୍ଡ
ପୁରୀ : ଶ୍ରୀମନ୍ଦିର ପରିସରରେ ସୋମବାର ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅସାବଧାନତା ବଶତଃ ସ୍ନାନମଣ୍ଡପ ବ୍ୟାରିକେଡ଼ ରେଲିଂ ଭିତରେ ଜଣେ ନାବାଳିକାର ମୁଣ୍ଡ ଫସି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ସେଠାରେ ପହଂଚି ଲୁହା ବ୍ୟାରିକେଡକୁ କଟରରେ କାଟି ନାବାଳିକାକୁ ଉଦ୍ଧାର କରିଛନ୍ତି । ସମ୍ପୃକ୍ତ ନାବାଳିକାଙ୍କ ନାମ ପ୍ରିୟାଂଶୀ ନାୟକ (୭) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ଜୟପୁର ସହରରୁ କମଳଲୋଚନ ନାୟକ ସପରିବାରେ ପୁରୀ ବୁଲିବାକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଶ୍ରୀମନ୍ଦିରକୁ ଯାଇଥିଲେ । ଦର୍ଶନ ସାରି ଆନନ୍ଦବଜାରକୁ ଆସିବା ପରେ ଏହି ଅଘଟଣ ଘଟିଥିଲା ।
