ନାବାଳକ ଗାଡି ଚାଳକ ଧରପଗଡ ସ୍କୁଲ ପାଖରେ ହେବ ଚଢଉ
କଟକ : ପିଲାଙ୍କୁ ଗାଡି ଦେଇଥିବା ଅଭିଭାବକ ସାବଧାନ! ନାବାଳକ ସ୍କୁଲ ପିଲା ବାଇକ କିମ୍ବା ଅନ୍ୟ ଗାଡି ଚଳାଇ ପାରିବେନି । ଯଦି ସେମାନେ ଗାଡି ଚଳାଉଥିବା ବେଳେ ଧରାପଡିବେ ତେବେ ଗାଡିର ମାଲିକକୁ କୋର୍ଟ ଚାଲାଣ କରାଯିବ । ଏଥିପାଇଁ ସ୍କୁଲ ଆଖପାଖରେ ଧରପଗଡ ହେବ ବୋଲି ଆଜି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ସୂଚନା ଦେଇ ସେ କହିଛନ୍ତି ଯେ, ଆସନ୍ତା କାଲିଠାରୁ ଅପ୍ରେଲ ପ୍ରଥମ ସପ୍ତାହ ଯାଏ ସ୍ପେସାଲ ଡ୍ରାଇଭ ହେବ । ଟ୍ରାଫିକ ପୋଷ୍ଟ ପାଖରେ ଧରପଗଡ ହେଲେ ରାସ୍ତା ଜାମ ହେବା ଆଶଙ୍କା ଥିବାରୁ ସ୍କୁଲ ନିକଟରେ ଚଢଉ କରାଯିବ । ଏଥିରେ ପୋଲିସ ସହ ପରିବହନ ଅଧିକାରୀମାନେ ସାମିଲ ହେବେ । ଯେଉଁ ୧୮ ବର୍ଷରୁ କମ ବୟସର ପିଲା ଗାଡି ଚଳାଉଥିବେ ସେହି ଗାଡିର ମାଲିକଙ୍କୁ ୨୫ ହଜାର ଟଙ୍କା ଜରିମାନା କରାଯିବା ସହ ଗାଡି ଜବତ କରାଯିବ ଏବଂ ପରେ ଗାଡିର ପଞ୍ଜୀକରଣ ବାତଲ କରାଯାଇ ଗାଡି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯିବ । ଏହି ମାମଲାରେ ଆଇନ ଅନୁଯାୟୀ ଗାଡି ମାଲିକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନା ବ୍ୟବସ୍ଥା ରହିଛି । ସେହିପରି ଗତ ସପ୍ତାହରେ ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କୁ ଧରିବା ପାଇଁ ଅଭିଯାନ ଚାଲିଥିଲା । ଯେଉଁଥିରେ ୭୬୭ ଜଣ ଧରାପଡିଥିଲେ । ୨୦୨୧ ମସିହାରେ ସଡକ ଦୁର୍ଘଟଣା ୫୦୮୧ ଜଣଙ୍କର ଓ ୨୦୨୨ରେ ୫୪୬୭ ଜଣଙ୍କର ମୃତ୍ୟୁ ଘଟିଥିଲା । ୨୦୨୧ରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଭିତରୁ ୧୮ ବର୍ଷରୁ କମ ବୟସର ୧୩୨ ଜଣ ନାବାଳକ ଓ ୨୩ ନାବାଳିକା ଥିଲେ । ସେହିଭଳି ମଦ୍ୟପାନ କରି ଗାଡି ଚାଳନା ଓ ଦ୍ରୁତଗତିରେ ଗାଡି ଚଳାଇବା ଦୁର୍ଘଟଣାର ମୁଖ୍ୟ କାରଣ ହୋଇଛି । ସୂଚନା ଥାଉକି, ଆସନ୍ତା ଅପ୍ରେଲ ପ୍ରଥମ ସପ୍ତାହରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଶୂନ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଛି ।
