ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲା କାରଣ ଏବେ ବି ଅସ୍ପଷ୍ଟ, ଅଭିଯୁକ୍ତ ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଦ୍ୱିତୀୟ ଦିନ
ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ଅଭିଯୁକ୍ତ ଗୋପାଳ ଦାସକୁ ଦ୍ୱିତୀୟ ଥର ପାଇଁ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା ଜାରୀ ରଖିଛି ଟିମ୍ । ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଦ୍ୱିତୀୟ ଦିନ । ଅଭିଯୁକ୍ତ ଗୋପାଳ ସତ କହୁଛି କି ମିଛ କହୁଛି ସେନେଇ ତାର ଲେୟାର୍ଡ ଭଏସ ଆନାଲିସିସ୍ ଟେଷ୍ଟ ଓ ମାନସିକ ସ୍ଥିତି ପରୀକ୍ଷା ପାଇଁ ସାଇକୋଲୋଜିକାଲ ଆସେସମେଂଟ ଟେଷ୍ଟ କରାଯାଇଛି । ସେଂଟ୍ରାଲ ଫରେନସିକ ସାଇନ୍ସ ଲାବୋରୋଟାରୀ(ସିଏଫଏସଏଲ)ର ନିର୍ଦ୍ଦେଶକ ଆଶା ଶ୍ରୀବାସ୍ତବ ନିଜେ ଏହି ଦୁଇଟି ଟେଷ୍ଟ କରିଛନ୍ତି । ଯାହାଦ୍ୱାରା ଅଭିଯୁକ୍ତ କ୍ରାଇମବ୍ରାଂଚକୁ ଦେଇଥିବା ବୟାନରେ କେତେ ସତ ଓ କେତେ ମିଛ ରହିଛି ତାହା ସ୍ପଷ୍ଟ ହେବ । ଏହା ସହିତ ସ୍ୱତନ୍ତ୍ର ମେଡ଼ିକାଲ ବୋର୍ଡ଼ ଗୋପାଳର ମାନସିକ ସ୍ଥିତ ଅନୁଧ୍ୟାନ କରି ଖୁବଶୀଘ୍ର ରିପୋର୍ଟ ଦେବେ । ଏକ ବିଶେଷଜ୍ଞ ଟିମ୍ ମଧ୍ୟ ଝାରସୁଗୁଡ଼ା ଯାଇ ଗୋପାଳର ମାନସିକ ସ୍ଥିତିର ପରୀକ୍ଷା ନିରୀକ୍ଷା କରିବେ । ସବୁ ଟିମ୍ ର ରିପୋର୍ଟକୁ ନିଜେ ଅନୁଧ୍ୟାନ କରିବେ କ୍ରାଇମବ୍ରାଂଚ ଏଡିଡ଼ି ଅରୁଣ ବୋଥ୍ରା । ପ୍ରକାଶ ଥାଉକି, ଗତ ୨୯ ତାରିଖ ମଧ୍ୟାହ୍ନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋରଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ତାଙ୍କ ଛାତିରେ ଗୁଳି ବାଜିଥିଲା । ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେହିଦିନ ସଂନ୍ଧ୍ୟାରେ ୬୧ ବର୍ଷିୟ ନବକିଶୋରଙ୍କ ପରଲୋକ ଘଟିଥିଲା । ଇତିମଧ୍ୟରେ ହତ୍ୟାକାଣ୍ଡର ଏକ ସପ୍ତାହ ବିତିଥିଲେ ସୁଦ୍ଧା ମନ୍ତ୍ରୀଙ୍କୁ ହତ୍ୟା ପଛର କାରଣ କଣ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।
