ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏମ୍ଫିଲ୍ ଗବେଷଣା ସମ୍ମେଳନ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ କଳା ଭୂଷଣ (ଏମ ଫିଲ୍) ବିଦ୍ୟାର୍ଥୀମାନଙ୍କର ମୁକ୍ତ ମୌଖିକ ପରୀକ୍ଷା ତଥା ଗବେଷଣା ସମ୍ମେଳନ ଅନୁଷ୍ଠିତ ହୋଇଛି । ଏଥିରେ ମୋଟ୍ ୧୨ଟି ବିଭାଗରୁ ୫୧ଜଣ ଗବେଷକ ବିଦ୍ୟାର୍ଥୀ ଉପସ୍ଥିତ ରହି ନିଜ ନିଜର ଗବେଷରା କାର୍ଯ୍ୟର ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରତିଟି ବିଷୟରୁ ଜଣେ ଜଣେ ବିଷୟ ବିଶାରଦ ବାହ୍ୟ ପରୀକ୍ଷକ ଭାବରେ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟରୁ ନିୟୋଜିତ ରହି ଉପସ୍ଥାପନାର ମୂଲ୍ୟାୟନ କରିଥିଲେ ।
ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରୀଛାତ୍ର ଏବଂ ଗବେଷିକାଗବେଷକ ଓ ଅଧ୍ୟାପିକାଅଧ୍ୟାପକ ଏଥିରେ ଉପସ୍ଥିତ ରହି ସମ୍ମେଳନ ପରିଦର୍ଶନ କରିବା ସହିତ ଗୁଣାତ୍ମକ ମୂଲ୍ୟବୋଧ ଭିତ୍ତିକ ଗବେଷଣା ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ । କଳାଭୂଷଣ ପର୍ଯ୍ୟାୟର ବିଦ୍ୟାର୍ଥୀମାନେ ଯଥୋଚିତ ଭାବରେ ନିଜ ନିଜର ମେଧାଶକ୍ତିକୁ ବିନିଯୋଗ କରି ଗବେଷଣା କାର୍ଯ୍ୟରେ ପ୍ରବୃତ୍ତ ହୋଇଥିବା ହେତୁ ସେମାନଙ୍କର ଗବେଷଣା ଉଚ୍ଚକୋଟୀର ଓ ମୂଲ୍ୟବୋଧ ଯୁକ୍ତ ହୋଇପାରିଛି । ଏମ୍ଫିଲ୍ ସ୍ତରରେ ତଥ୍ୟ ଚୋରି ପରୀକ୍ଷଣ ପର୍ଯ୍ୟାୟଭୁକ୍ତ କରି ଏହିପରି ମୁକ୍ତ ମୌଖିକ ପରୀକ୍ଷା ଓ ସମ୍ମେଳନର ପରିକଳ୍ପନା କରି ତାକୁ ବାସ୍ତବାୟିତ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବିଷୟ ବିଶାରଦମାନେ ମତ ପ୍ରକାଶ କରିଥିଲେ । ମାଷ୍ଟର ଅଫ୍ ଫିଲୋସଫି ଡିଗ୍ରୀ ହୋଇଥିବା ହେତୁ ଏମ୍ ଫିଲ୍ ପାଠ୍ୟକ୍ରମ ସୁସଂସ୍କୃତ ଓ ଉତ୍ତମ ମଣିଷ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ ବୋଲି ମଧ୍ୟ ସେମାନେ ମତ ଦେଇଥିଲେ । ଏହି ଅବସରରେ ପ୍ରତ୍ୟେକ ବିଭାଗରୁ ଜଣେ ଲେଖାଏଁ ଏମ୍ଫିଲ୍ ବିଦ୍ୟାର୍ଥୀ ନିଜ ନିଜର ମତବ୍ୟକ୍ତ କରି ରିସର୍ଚ୍ଚ କନକ୍ଲେଭ୍ ଗବେଷଣା ପ୍ରସଙ୍ଗକୁ ସାର୍ବଜନୀନ, ମୂଲ୍ୟବୋଧ ଭିତ୍ତିକ ଓ ପ୍ରେରଣାପଦ କରିପାରିଛି ବୋଲି କହିଥିଲେ । ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, ପ୍ରପେସର ଅନିଲ କୁମାର ମହାପାତ୍ର, ଡ. ଦେବାଶିଷ ପାତ୍ର ପ୍ରମୁଖ କଳାଭୂଷଣସ୍ତରୀୟ ଗବେଷଣା ସମ୍ମେଳନ ଏକ ଅଭିନବ ଆଦର୍ଶ ଓ ଏହା ଛାତ୍ରୀଛାତ୍ରଙ୍କ ଆଗ୍ରହ ବୃଦ୍ଧିରେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ପ୍ରାଥମିକ ପର୍ଯ୍ୟାୟରୁ ଛାତ୍ରୀଛାତ୍ର ପୋଷ୍ଟର ଉପସ୍ଥାପନା ସମ୍ବନ୍ଧୀୟ କୌଶଳ ଶିକ୍ଷା କରିବା ସହିତ ଗବେଷଣାରେ ପାରଦର୍ଶିତା ଲାଭର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ ହେବାର କ୍ଷେତ୍ର ସମ୍ବନ୍ଧରେ ଅବଗତ ହେବାର ସୁଯୋଗ ଲାଭ କରିପାରିବେ ବୋଲି ମତ ଦେଇଥିଲେ । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସାମ୍ପ୍ରତିକ ସମୟ ଖଣ୍ଡର ଆବଶ୍ୟକତା ଓ ଯୁଗୀୟ ବୈଶିଷ୍ଟ୍ୟକୁ ଦୃଷ୍ଟିରେ ରଖି ପ୍ରାସଙ୍ଗିକ ଓ ଉତ୍ତମମାନଯୁକ୍ତ ଗବେଷଣା ନିମିତ୍ତ ଗବେଷକ ସର୍ବଦା ଯତ୍ନବାନ ରହିବା ଉଚିତ୍ ବୋଲି ମତ ଦେଇଥିଲେ ଏବଂ ଶିକ୍ଷା ଓ ତାର ସିଦ୍ଧାନ୍ତ ସର୍ବଦା ସାର୍ବଜନୀନ, ଏଥିରେ ଗୋପନୀୟତା ଆଦୌ ସ୍ପୃହଣୀୟ ନୁହେଁ ବୋଲି ସେ ପ୍ରକାଶ କରିଥିଲେ । ଡ. ଅସୀମ ଅମିତାଭ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଂଯୋଜକ ନିହାର ରଞ୍ଜନ ରାଉତରାୟ ଏଥିରେ ସଂଯୋଜନା କରିଥିଲେ ।
