ଲୋଇସିଂହାକୁ ଏନଏସି ମାନ୍ୟତା ଦାବିରେ ବୈଠକ
ବଲାଙ୍ଗିର : ଲୋଇସିଂହା ଆଂଚଳିକ ବିକାଶ ପରିଷଦର ଆହ୍ୱାନକ୍ରମେ ଲୋଇସିଂହା ଷ୍ଟାଡିୟମ ଠାରେ ଏକ ଜରୁରୀକାଳୀନ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଲୋଇସିଂହାର ବିକାଶ ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରାଯାଇଥିଲା । ଉକ୍ତ ସଭାରେ ନିମ୍ନ ଲିଖିତ ପ୍ରସ୍ତାବ ଆଗତ ହୋଇ ସର୍ବ ସମ୍ମତିକ୍ରମେ ଗୃହୀତ କରାଗଲା । ଉକ୍ତ ପ୍ରସ୍ତାବରେ ପ୍ରଥମେ ଲୋଇସିଂହାକୁ ଏନଏସି ମାନ୍ୟତା ଦାବୀନେଇ ସରୋଜ ବିଶ୍ୱାଳ ସମସ୍ତ ଅନୁଷ୍ଠାନର ଜନପ୍ରତିନିଧିଙ୍କୁ ଆହ୍ୱାନ କରିଥିଲେ । ସମସ୍ତେ ନିଜ ନିଜର ମତ ପ୍ରକାଶ କରି କିପରି ଏନଏସି ମାନ୍ୟତା ପାଇଁ ଆନ୍ଦୋଳନକୁ ଆଗେଇ ନେବା ତା ଉପରେ ଆଲୋଚନା କରାଗଲା । ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ଗ୍ରହଣ କରାଗଲା ଯେ ଏନଏସି ଅଧିନସ୍ଥ ପ୍ରତ୍ୟକ ଗ୍ରାମକୁ ଯାଇ ଏନଏସି ବାବଦ ଓ ଆନ୍ଦୋଳନ ସମ୍ବନ୍ଧେ ବୈଠକ କରିବା ଓ ପ୍ରତ୍ୟକ ମାସରେ ସରକାରୀ ଅଫିସ ଗୁଡିକୁ ଥରେ ବନ୍ଦ କରିବା ପାଇଁ ନିଷ୍ପତି ନିଆଗଲା । ସମସ୍ତ ଗ୍ରାମରୁ ଜନସାଧାରଣ ବାହାରିବା ସହ ପଦଯାତ୍ରା କରି ବଲାଙ୍ଗୀର ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ପୋଷ୍ଟକାର୍ଡ ଓ ଦସ୍ତଖତ ଅଭିଯାନ ମଧ୍ୟ କରାଯିବାକୁ ସ୍ଥିର କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ସମେତ ଲୋଇସିଂହାର ଏନଏସି ଅଧିକୃତ ଅଂଚଳର ସମସ୍ତ ରାଜନୈତିକ, ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜସେବୀ କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଆଗାମୀ ୧୮ ତାରିଖ ପନେଶରା, ୧୯ ତାରିଖ ସେମେଲମୁଣ୍ଡା, ୨୦ ତାରିଖ ବୁର୍ଡା ଓ ୨୧ ତାରିଖ ଲୋଇସିଂହା ବନ୍ଦ ରହିବ ।
