କର୍ମଚାରୀଙ୍କୁ ଛଟେଇ କରିବ ମ୍ୟାକଡୋନାଲ୍ଡ, ବନ୍ଦ ହେବ ଆମେରିକାରେ ଥିବା ସମସ୍ତ କାର୍ଯ୍ୟାଳୟ
ନୂଆଦିଲ୍ଲୀ : ବିଶ୍ୱର ଅନ୍ୟତମ ବଡ଼ ଫାଷ୍ଟଫୁଡ କମ୍ପାନୀ ମ୍ୟାକଡୋନାଲ୍ଡରେ ଦେଖା ଦେଇଛି ଅର୍ଥନୀତିକ ମାନ୍ଦାବାସ୍ଥାର ପ୍ରଭାବ । ଫଳରେ କର୍ମଚାରୀଙ୍କ ଭବିଷ୍ୟତ ନେଇ ସଂକଟ ଦେଖାଦେଇଛି । ଚଳିତ ସପ୍ତାହରେ ମ୍ୟାକଡୋନାଲ୍ଡ ଆମେରିକାରେ ଥିବା ସମସ୍ତ କାର୍ଯ୍ୟାଳୟକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
ଦୁଃଖ ଏବଂ ପରିତାପର ବିଷୟ ହେଉଛି ଯେ, କମ୍ପାନୀ ତା’ର କର୍ପୋରେଟ କର୍ମଚାରୀଙ୍କୁ ବି ଛଟେଇ କରିବ । ସଂସ୍ଥାର ଏପରି ପଦକ୍ଷେପ ନେଇ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ସୂଚନା ଦିଆଯାଇଛି । କମ୍ପାନୀ ପକ୍ଷରୁ ଗତ ସପ୍ତାହରେ କର୍ମଚାରୀଙ୍କୁ ମେଲ୍ ଯୋଗେ କୁହାଯାଇଛି ଯେ, ଘରେ ରହି କାମ କର । ଏହାସହ ସପ୍ତାହର ୩ ଦିନ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ କମ୍ପାନୀ ଭର୍ଚୁଆଲ୍ ମାଧ୍ୟମରେ ଛଟେଇ ସମ୍ପର୍କରେ କର୍ମଚାରୀମାନଙ୍କୁ ସୂଚନା ଦେବ ବୋଲି ସ୍ପଷ୍ଟ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ କେତେ ଜଣ କର୍ମଚାରୀଙ୍କୁ ବିଦା କରାଯିବ, ସେକଥା ସ୍ପଷ୍ଟ ହୋଇନି ।
ମ୍ୟାକଡୋନାଲ୍ଡ ପକ୍ଷରୁ କର୍ମଚାରୀମାନଙ୍କୁ ପଠାଇ ଯାଇଥିବା ଇ-ମେଲରେ କୁହାଯାଇଛି ଯେ “ଏପ୍ରିଲ ୩ରୁ ଆରମ୍ଭ ହେଉଥିବା ସପ୍ତାହରେ ଆମେ କର୍ମଚାରୀଙ୍କ ଭୂମିକା ଓ ସ୍ତରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବୁ । ଚଳିତ ସପ୍ତାହରେ ଇନ-ପର୍ସନ ବା ସମସ୍ତ ପ୍ରକାରର ବ୍ୟକ୍ତଗତ ସ୍ତରୀୟ ମିଟିଂକୁ ବାତିଲ କରି ଦିଆଯାଇଛି।
